Unknown

 

 

 

 

 

 

 

 

 

 

ମହୋଦଧି

ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

 

ବାଣୀ ବିଶ୍ୱରାଣୀ ବିଦ୍ୟା-ଠାକୁରାଣୀ ।

କର କୃତାର୍ଥ ଜ୍ଞାନ-ରତ୍ନ ଦାନେ,

ଚିହ୍ନିବି ତୁମ୍ଭଙ୍କୁ ତବ ଦତ୍ତ ଜ୍ଞାନେ ।

 

ଦିଅ ଦେବୀ, ଦିବ୍ୟ ଅଚର୍ମ ନୟନ,

ତବ ସୌମ୍ୟ ମୂର୍ତ୍ତି କରିବି ଦର୍ଶନ ।

ଦିଅ ନିଷ୍ଠା, ମନ ତବ ପାଦେ ଖଟୁ,

ଦିଅ ହସ୍ତ ତବ ପୁଣ୍ୟ-ପୂଜା-ପଟୁ ।

 

ଦିଅ ଜିହ୍ୱା ରଟୁ ତବ ଗୁଣାବଳୀ,

ପୟରେ କିଙ୍କର କରେ ଏହି ଅଳି ।

ଦୀନହୀନ ମୁହିଁ ଅତୀବ ଦୁର୍ବଳ,

ସମ୍ବଳ କେବଳ ତୋ ପାଦ-କମଳ ।

 

ଉଷ୍ଟ, ଶବ୍ଦ ବାରେ ନ ପାରି ଉଚ୍ଚାରି,

ଗଲା ଯା ରସନା ଶ୍ରମେ ଖିଲି ମାରି,

ସେହି ନିଦା ମୂର୍ଖ ଅଣଅନୁଭବୀ,

ହେଲା ତୋହ ବରେ କବିକୁଳେ ରବି ।

 

ରୋପିଗଲା ଭବେ କୀର୍ତ୍ତି କଳ୍ପଦ୍ରୁମ,

ଫୁଟେ ତହୁଁ ଫୁଲ ହୀରକ, ବିଦ୍ରୁମ ।

ଧାଇଁଛି ମୁଁ ତହୁଁ କୃପାଭିକ୍ଷା ଆଶେ,

ତୃଷାଳୁ ଯେସନ ଧାଏଁ ବାରି ପାଶେ ।

 

ପୁରାଅ କାମନା କରି ଅନୁଗ୍ରହ,

ଜଣାଉଛି ବହି ବ୍ୟାକୁଳ ଆଗ୍ରହ ।

ମାତୃସ୍ନେହେ ମାତଃ, ଅର୍ପ କୃପା-ତରୀ

କଳ୍ପନା-ସାଗରେ ଖେଳିବି ବିଚରି ।

 

ସୁସାଧନା-ମଠେ ପ୍ରବେଶାଅ ଜବେ,

ମଣ୍ଡଦିଅ ପ୍ରାଣ ସାଫଲ୍ୟ-ଗୌରବେ ।

ଜ୍ୟୋତି-ଜଳେ ଧୋଇ ମୋ ଜଡ଼ତା-ମସୀ

ଦେଖାଅ ସମ୍ମୁଖେ ଆଦର୍ଶ ଆରଶି ।

 

ବିରାଟ ସୁନ୍ଦର ରୁଦ୍ର ମହୋଦଧି,

ଅଶାନ୍ତ ପ୍ରଶାନ୍ତ ପୂତ ଅନବଧି

ମହାପ୍ରକୃତିର ମହାଶକ୍ତି ସିନ୍ଧୁ,

ଅଥବା ମହୀର ମହାକେନ୍ଦ୍ର ବିନ୍ଦୁ,

 

କିମ୍ବା ଏକୀଭୂତା ସୃଷ୍ଟିର କ୍ଷମତା,

ଅବା ଏ ବାସୁକି ନୀଳ ପାଟଛତା,

କିବା ଉତ୍ତରଳ ଅମର ଔଷଧି,

ନତୁ କ୍ଷୀରଭାଣ୍ଡ ପୂର୍ଣ୍ଣ ନିରବଧି,

 

କିମ୍ବା ଯାଗକୁଣ୍ଡ ନଭ-ଯୋଗିକୃତ,

ନିଭିଛି ଅନଳ, ରହିଅଛି ଘୃତ ।

ଦର୍ଶନେ ନୟନେ ଆଣେ ଅବସାଦ,

ବଧିର ଶ୍ରବଣ ଶୁଣି ତା ନିନାଦ ।

 

କଳ୍ପନା ତା ସୀମା କଳିବାକୁ ଯାଇ,

ବସେ ନିଜ ମଧ୍ୟେ ନିଜକୁ ହରାଇ ।

ସ୍ୱଭାବେ ସେ ସିନ୍ଧୁ ଅକୁଳ ଅନନ୍ତ

ହୋଇଛି ଉପାଧି ଯୋଗେ ସୀମାବନ୍ତ ।

 

ସୀମାତୀତ ହୋଇ ଯେଣୁ ସୀମାଯୁତ,

ନ ମରି କଳ୍ପନା ହୁଏ ଜୀବନ୍ମୃତ ।

ହରାଇ ଭରସା ସାହସ ଉଦ୍ୟମ,

ପଡ଼େ ଶେଷେ ଧନୀ ହୋଇ ଅସାଷ୍ଟମ।

 

ତରଙ୍ଗ ତାହାକୁ ଭସାଇ ଭସାଇ,

ବେଳା-ପଦେ ଆଣି ଦିଏ ଆଉଜାଇ ।

ମହାଜଳାରଣ୍ୟ ଦେଖି ମାଡ଼େ ଭୟ,

ମୁଗ୍‌ଧ ନୋହି ସ୍ତବ୍‌ଧ ହୁଅଇ ହୃଦୟ ।

 

ମିଶାଇଛି ଚକ୍ରବାଳେ ସ୍ୱନୀଳିମା,

ଶେଷ କି ଏଠାରୁ ଧରଣୀର ସୀମା !

ଧନ୍ୟ ମହୋଦଧି ଧନ୍ୟ ତୋ ମହିମା,

ଉତ୍କଳର ତୁହି ବିଧିସୃଷ୍ଟ ସୀମା ।

 

ରଚନ୍ତି ବିହାର ଅମରେ ତୋ ତୀରେ,

ଉପାଧିବନ୍ତ ତୁ ନର-ଉପାଧିରେ ।

ସ୍ୱଭାବେ ତୁ ସିନ୍ଧୁ ଅନନ୍ତ ବିସ୍ତୀର୍ଣ୍ଣ,

ସେ ଉପାଧି ତୋତେ କରିଦେଲା ଶୀର୍ଣ୍ଣ ।

 

ବୁଝିଛୁ ତୁ ଭଲେ ଉପାଧିର ମୂଲ,

ତାହା ସିନା ଖାଲି ଆକାଶର ଫୁଲ ।

ଫେନ-ଦନ୍ତପନ୍ତି କରିଣ ବିକାଶ,

ପ୍ରକାଶିଛୁ ଗର୍ବେ ଉଚ୍ଚେ ଅଟ୍ଟହାସ ।

 

ହାସ୍ୟରସେ ଅଛୁ ମତ୍ତ ହରଘଡ଼ି,

ହସି ହସି ଯାଉ ବେଳାପାଦେ ଗଡ଼ି ।

ଶୁଣି ସେହି ହାସ ବିକଟ ଭୈରବ,

କମ୍ପି ଉଠେ ଧରା, ଭାଙ୍ଗିପଡ଼େ ନଭ ।

 

ଉତ୍ତାଳ-ତରଙ୍ଗ-ତାଣ୍ଡବ-ନର୍ତ୍ତନ,

ଦେଖି ଲୁଚେ ଭୟେ ନେତ୍ରମଧ୍ୟେ ମନ ।

ନାଦଛଳେ ରଚୁ କି କଥା-ସାହିତ୍ୟ,

ଅବା ସେ ତୋହର ଜାତୀୟ ସଙ୍ଗୀତ ।

 

କିମ୍ବା ନିବେଦୁଛୁ ହୃଦ କୃତଜ୍ଞତା,

ତାହା ପଦେ, ଯେ ତୋ ଜୀବନଦେବତା ।

ସେ ସଙ୍ଗୀତେ ପୂର୍ଣ୍ଣ ମାଧୁର୍ଯ୍ୟ ପ୍ରସାଦ,

ଅଛି ଉତ୍ତେଜନା, ନାହିଁ ଅବସାଦ ।

 

ସେ ସଙ୍ଗୀତେ ହୋଇ ତନ୍ମୟ ବିହ୍ୱଳ

କର୍ଣ୍ଣେ ପରିଣତ ଇନ୍ଦ୍ରିୟସକଳ ।

ଅଟୁ ମହୋଦଧି ମହାପୁରାତନ,

ସତ୍ୟ ଶିବ ଧ୍ରୁବ ରମ୍ୟ ସନାତନ ।

 

କୁବେରର ତୁହି ଗୁପ୍ତ ଗନ୍ତାଘର,

ଜାତୀୟ ଜୀବନ କରୁ ସମୁର୍ବର ।

ତୋ ଦର୍ଶନେ ମନେ ହୁଏ ସମୁଦିତ,

କେତେ ପୁରାସ୍ମୃତି ଗୌରବ ଦୀପିତ ।

 

ବାଣିଜ୍ୟର ତୁହି ସହାୟ ପ୍ରଧାନ,

ଜ୍ଞାନଭୂମିର ତୁ ପ୍ରଥମ ସୋପାନ ।

ଉତ୍କଳ-ସନ୍ତାନେ ଭ୍ରମି ତୋ ଉରସେ,

ମଣ୍ଡି ହେଉଥିଲେ ଧନେ, ଜ୍ଞାନେ, ଯଶେ ।

 

ସାଧବ-ବହୂଏ ହୋଇ ଏକତ୍ରିତ,

ବନ୍ଦାଉଣଥିଲେ ତୋ ତୀରେ ବୋଇତ ।

ସେ ଉଜ୍ଜ୍ୱଳକାଳେ ଉତ୍କଳ-ବଣିକେ,

ମଣୁଥିଲେ ତୁଚ୍ଛ ମୌକ୍ତିକ ମାଣିକେ ।

 

ଏବେ ଉତ୍କଳର ନାହିଁ ସେ ବିଭବ,

ନାହିଁ ସେ ସୌଭାଗ୍ୟ, ନାହିଁ ସେ ଗୌରବ ।

ଏବେ ତା ମହିମା ଲଭିଛି ନମ୍ରତା,

ଶଶାଙ୍କ ଅସ୍ତାନ୍ତେ ତୋ ଜୁଆର ଯଥା ।

 

ସୁପ୍ତିମୌନା ଦେବୀ ନିଷ୍ପନ୍ଦ ଏକାଳେ,

କେଜାଣି କି ଅଛି ଭବିଷ୍ୟ କପାଳେ ?

ନିର୍ଭୟେ ଯେ ପକ୍ଷୀ ମୁକ୍ତନଭେ କ୍ରୀଡ଼େ,

କେଜାଣି କିପାଁ ସେ ସୁପ୍ତ ଏବେ ନୀଡ଼େ ?

 

ବିଳାସ ଦୂଷିତ ସମୀର ସେବନେ

ଘାରିଛି ଆଳସ୍ୟ-ବାତ ଦେହେ ମନେ ।

ସୁଶିକ୍ଷା-ବଟିକା ଉତ୍ସାହ ପାଚନ

ସିନା ଏହି ବ୍ୟାଧି ବିନାଶେ ଭାଜନ ।

 

ଦୃଷ୍ଟିମାତ୍ରେ ସିନ୍ଧୁ ଦେଉ ତୁ ଛଡ଼ାଇ

ତୁଚ୍ଛ ନର ତୁଚ୍ଛ ମମତା ବଡ଼ାଇ ।

ଚାହିଁଲେ ନିଜକୁ ତୋତେ ଦେଇ ଚାହିଁ,

ଯାଏ କେଉଁଆଡ଼େ ଅସ୍ମିତା ମିଳାଇ ।

 

ବିସ୍ମୟ-ସାଗରେ ବୁଡ଼ି ମରେ ମନ,

ତୋ ଗଭୀର ଗର୍ଭେ ତରଣୀ ଯେସନ ।

ଯା ଲାଗି ନରର ଅହଙ୍କାର, ଛି ଛି,

ପାଏ ନାହିଁ ଖୋଜି ମୂଳ ତାର କିଛି ।

 

ବଳେ ବଳେ ଆସି କରେ ଅଧିକାର,

ଆତ୍ମଶ୍ଳାଘା ସ୍ଥାନ ଆତ୍ମ-ତିରସ୍କାର ।

ଧନଦାନେ କାର ବଢ଼ାଉ ପିପାସା,

ବୁଡ଼ାଉ କାହାର ନାବ ସଙ୍ଗେ ଆଶା ।

 

କାଳ ପରି ତୁହି ଭଙ୍ଗାଗଢ଼ାପଟୁ,

କେତେ ଭାଗ୍ୟ ଭାଙ୍ଗୁ କେତେ ପୁଣି ଗଢ଼ୁ ।

ଶାରଦ ଅମ୍ବରେ ସ୍ୱଚ୍ଛ ଘନ ପରି,

ଭାସି ବୁଲେ କେତେ ତୋହ ବକ୍ଷେ ତରୀ ।

 

ଅବା ଧୁମୋଦ୍‌ଗାରୀ ଆଗ୍ନେୟ ବିହଙ୍ଗେ,

ଜଳ ଖେଳେ ମାତି ସନ୍ତରନ୍ତି ରଙ୍ଗେ ।

ବୀଚିପନ୍ତି ତୋର ଚଳଶୈଳେ ପମ,

ନ ହୁଏ ତାହାର ଗତିରାଧେ କ୍ଷମ ।

 

ଦୃଢ଼ବ୍ରତ ଜନ ସଦିଚ୍ଛା ସମାନ,

ଶତ ବିଘ୍ନ ଲଙ୍ଘି ହୁଏ ଧାବମାନ ।

ଗତିରେଖା ତାର ତୋହ ବକ୍ଷସ୍ଥଳେ,

ଜାତ ମାତ୍ର ଯାଏ ଉଭେଇ ଚଞ୍ଚଳେ ।

 

କ୍ଷଣସ୍ଥାୟୀ ତାହା, କ୍ଷଣସ୍ଥାୟୀ ଯଥା

ମିଥ୍ୟାଭାଷୀ ଭଣ୍ଡ ବାହାପିଆ କଥା ।

ଫେନଚୁଡ଼ ବୀଚି ଧାଇଁ ଗଳଗାଜି

ଛୁଇଁ ବେକ ପଦ ପଡ଼େ ମଥା ଭାଜି ।

 

ପଛେ ପଛେ ରହି ତ୍ରିସରି ଲହରୀ

ପ୍ରତେ ହୁଏ ତିନି ରୌପ୍ୟ ରଥ୍ୟା ସରି ।

ଅବା ସତ୍ୟ ଧର୍ମ- ବିଶ୍ୱାସ ତ୍ରିରେଖା,

ସାଧକ ହୃଦୟେ ଦେଇଅଛି ଦେଖା ।

 

ଅଥବା କାଟିଛୁ ସିନ୍ଧୁ, ଧର୍ମଗାର

ଲଙ୍ଘିଗଲେ ଏହା ନାହିଁ ଟି ନିସ୍ତାର ।

ନୀଳ ବ୍ୟୋମ ତୋତେ କରୁଛି ଇଙ୍ଗିତ

ଘନ-ବିଚୀମାଳେ ହୋଇ ତରଙ୍ଗିତ ।

 

ତୋ ବକ୍ଷେ ପ୍ରବାଳ ରହିଛି ଜଡ଼ିତ,

ଉପମାରୂପେ ସେ ବହିଛି ତଡ଼ିତ ।

ହୁଏ ରୁଦ୍ର ଧ୍ୱନି ତୋ ଅଙ୍କେ ଜନିତ,

ତାହା କୋଳେ ସୁପ୍ତ ବିକଟ ସ୍ତନିତ ।

 

ପରିହାସ ଏହା, କି ପ୍ରତିଯୋଗିତା,

ଶୀତ ବାତ କିମ୍ବା ପ୍ରଜ୍ଜ୍ୱଳିତ ଚିତା ।

ଅଥବା ଫାଲ୍ଗୁନ ଅବା ଜ୍ୟୈଷ୍ଠ ମାସ,

ମର୍ମଘ୍ନ କ୍ରନ୍ଦନ କିବା ସୁଖ ହାସ ।

 

କେ ସୁପଟୁ ଏହି ସମସ୍ୟା ପୂରଣେ,

କେବା ଦକ୍ଷ ଏହି ରହସ୍ୟୋଦ୍ଘାଟନେ ।

ବଡ଼ ସିନା ଜାଣେ ବଡ଼ଘର କଥା,

ସାନ ତ ତହିଁକି ଅକ୍ଷମ ସର୍ବଥା ।

 

ସିନ୍ଧୁକୂଳେ ସିନ୍ଧୁ ତୁହି ପୁଣ୍ୟଶ୍ଳୋକ,

ମନ୍ଦାକ୍ରନ୍ତା ବୃତ୍ତେ ରଚୁ ପୁଣ୍ୟଶ୍ଳୋକ ।

ତୀର୍ଥେଶ୍ୱର ଯେଣୁ, ତେଣୁ ତୀର୍ଥାଶ୍ରୟ,

ମିଶାନ୍ତି ତୀର୍ଥେ ତୋ ପୂତପୟେ ପୟ ।

 

ତଟିନୀଏ ବହି ଆବର୍ଜନାରାଶି,

ମିଶନ୍ତି ଚୌଦିଗେ ତୋ ସଲିଳେ ଆସି ।

ନିର୍ବିକାର ହେତୁ ଘୃଣା ନ ଦେଖାଇ,

ନେଉ ତୁ ସେ ସର୍ବ ସ୍ୱଦେହେ ମିଶାଇ ।

 

ଅଧମେ ଯେସନ ମହାଜନକୁଳ,

ନିଅନ୍ତି ସଂଗଠି କରି ଆତ୍ମତୁଳ ।

ଗଙ୍ଗାଗର୍ଭେ ନେଇ ସୁରା ଢାଳିଦେଲେ,

ହୋଇଯାଏ ତାହା ଗଙ୍ଗାଜଳ ହେଳେ ।

 

ଘୃଣା ପରିବର୍ତ୍ତେ କରୁଣା ପ୍ରକାଶ,

ମହାମନାଙ୍କର ଶାଶ୍ୱତ ଅଭ୍ୟାସ ।

ସ୍ରଷ୍ଟା ଆଦିସୃଷ୍ଟ ତୁହି ପାରାବାର,

ତୋ ଅଗ୍ରତେ ସିନା ଜନ୍ମ ଏ ଧରାର ।

 

ରବି ଶଶୀ ଆଦି ଜ୍ୟୋତିଷ ମଣ୍ଡଳ,

ତୋ ଅଗ୍ରତେ ଜାତ-ଅନିଳ, ଅନଳ ।

ଗଲା କେତେ ଯୁଗ ମହାଯୁଗ ବହି,

ଗର୍ଜୁ ଅଛୁ ତୁହି ଏକଭାବେ ରହି ।

 

ଅମର ତୋ ସ୍ୱର ଆର୍ତ୍ତ ଭୟଙ୍କର,

ରୁଦ୍ଧ ରୋଷେ ଉଠୁ ଫୁଲି କେତେ ଥର ।

ଛାଡ଼ୁ ହୁହୁଙ୍କାର ଅବା ହାହାକାର,

କିମ୍ବା ସେ ଉଭୟ ମିଶି ଏକାକାର ।

 

ଅହୋ, କି ଅଦ୍ଭୁତ ଅଶ୍ରୁତ ଏ କଥା,

ଏତେ ଶକ୍ତି ଯାର, ଏତେ ତାର ବ୍ୟଥା ।

ବହେ ଏ ଜଗତେ ଯେ ଯେତିକି ଭାର,

ତେତିକି ଆଘାତ ଲାଗେ ପ୍ରାଣେ ତାର ।

 

କେତେ ରତ୍ନ ଦେବେ ଦେଲୁ କୋଷାଗାରୁ

ମାନବ ଭାଗ୍ୟକୁ ଲବଣ ଉଦ୍‌ଗାରୁ ।

ନୁହେଁ ଏହା ତୋର ଦୁର୍ଜ୍ଞେୟ ରହସ୍ୟ,

ଭେଦିବେ ଏ ମାୟା ଭାବୁକେ ଅବଶ୍ୟ ।

 

ଗର୍ବ ଦମ୍ଭ ସ୍ୱାର୍ଥ ବିଦ୍ୱେଷ ନୀଚତା,

ଯାହାର ଜୀବନସର୍ବସ୍ୱ ସର୍ବଥା,

ଅର୍ଦ୍ଧାଙ୍ଗୁଳ ମାତ୍ର ଭୂସମ୍ପତ୍ତି ପାଇଁ,

ପାରେ ଯେ ଅଗ୍ରଜ ମସ୍ତକ ଫଟାଇ,

 

ଦେଖି ପ୍ରତିବେଶୀ କଷ୍ଟ ଉପବାସ,

ରଚେ ଅକୁଣ୍ଠିତେ ବ୍ୟଙ୍ଗ ପରିହାସ,

ତାର ସିନା ଯୋଗ୍ୟ ପ୍ରାପ୍ୟରେ ବାରୀଶ,

ଅମୃତ ବଦଳେ କାଳକୂଟ ବିଷ ।

 

ଶବରୀର ପ୍ରୀତି ପୂତି ଗୁଞ୍ଜାମାଳେ,

କେଉଁ ଲୋଡ଼ା ତାର ହୀରକପ୍ରବାଳେ ।

ହାୟ ! ନର ସିନା ତୁଚ୍ଛ ଅଭିମାନେ,

ବିକମ୍ପିତ କରେ ଧରା ସରା ଜ୍ଞାନେ ।

 

ପଇସାକ ପାଇଁ ହାୟ ନିର୍ବିକାରେ,

ଜ୍ଞାତିପରିବାରେ ପେଷେ କାରାଗାରେ,

ଅକ୍ଷମ ଭିକ୍ଷୁକ ଜନେ କୋପ ବହି,

ଘଉଡ଼ାଇଦିଏ କଟୁ କଥା କହି ।

 

ମାନିନୀ ପ୍ରିୟାକୁ ବସାଇ ଖଟରେ,

ଖଟାଏ ମାତାକୁ ହାଣ୍ଡିଶାଳ ଘରେ ।

ବୃଦ୍ଧ ତାତେ ମଣି ଜୀବନର ଭାର,

ପ୍ରତିକ୍ଷଣ ପାଞ୍ଚେ ପଞ୍ଚତ୍ୱ ତାହାର ।

 

କରୁଥାଏ ସଦା ଶିକ୍ଷାର ବଡ଼ାଇ,

ସଭ୍ୟତାର ଧ୍ୱଜା ସଦର୍ପେ ଉଡ଼ାଇ ।

ଏହା ଯେବେ ଶିକ୍ଷା ସଭ୍ୟତା-ଆଚାର

ତେବେ ତାହା ପଦେ ଦୂରୁଁ ନମସ୍କାର ।

 

ନାହିଁ କି ରେ ସିନ୍ଧୁ ତୋ ଦେହେ କ୍ଷମତା,

ନାଶିବାକୁ ଏହି ପାପ ଅଜ୍ଞାନତା ।

ଦେଖା ମହୋଦଧି ପ୍ରଭାବ ତୋହର,

ସ୍ୱାର୍ଥଠାରୁ ବଳି ତୁହି ଭୟଙ୍କର ।

 

ଉଗ୍ର ମୂର୍ତ୍ତି ଧରି ଉଭା ହୋଇ ଅଗ୍ରେ,

ଫେରାଅ ମାନବ ମତି-ଗତି ବ୍ୟଗ୍ରେ ।

ଊର୍ମି ଜଳେ ଭାଲୁଁ ଧୋଇଦେଇ ପଙ୍କ,

ନରଲୋକୁଁ ଦୂର କର ଏ କଳଙ୍କ ।

 

ବାହି ସିକନ୍ଦର ତୋହ ବକ୍ଷେ ତରୀ,

ଆସିଥିଲେ ବୀର ଦିଗ୍‌ବିଜୟ କରି,

ଯାହାଙ୍କ ସେନିକେ ନାରିକେଳ ଖାଇ,

କହିଥିଲେ ଗଳ୍ପ ସ୍ୱଦେଶରେ ଯାଇ,

 

‘‘ଅଛି ଏକ ତରୁ ଭାରତ-ମଣ୍ଡଳେ,

ତହିଁ ରସ ପିଠା ସାଚୀପଣା ଫଳେ ।’’

କଲେ ଜୟ, ମାତ୍ର ନ ହେଲା ତା ଚିର,

ଅପବ୍ୟୟ ହେଲା ମାନବ ରୁଧିର ।

 

ସାଧି ନ ପାରିଲେ ଯାହା କରବାଳେ,

ସାଧିଲେ ଚୈତନ୍ୟ ତାହା କରତାଳେ ।

ଅସିଘାତୁଁ ଜନ୍ମି ସ୍ଫୁଲିଙ୍ଗ ତୁରିତେ

ନିଭିଯାଏ ଯଥା କବନ୍ଧ ଶୋଣିତେ,

 

ତଥା କ୍ଷୀଣସ୍ଥାୟୀ ହେଲା ତାଙ୍କ ଜୟ,

କାଳ ତ କାହାକୁ ନ କରେ ଅକ୍ଷୟ ।

ଧର୍ମ ଜୟ ଏକା ରହେ ବହୁ ଦିନ,

ବର୍ମଜୟ ତାହା ତୁଳନାରେ ହୀନ ।

 

ଧାଡ଼ିହେଲା ପୁଣି ଦୈତ୍ୟ ରକ୍ତବାହୁ

ଏ ଉତ୍କଳେ, ଯଥା ଶଶୀ ପ୍ରତି ରାହୁ ।

ମାତ୍ର ତୋ ତନୟା ଦୁର୍ଦ୍ଦଣ୍ଡା ଚିଲିକା,

ବିନାଶିଲା ତାକୁ କରିଣ ଛିନିକା ।

 

ଜଳୁଥିଲା ଦମ୍ଭୀ ଜିଗୀଷା ଅନଳେ,

ଭଜିଲା ସେ ଚିରଶାନ୍ତି ଦହ-ଜଳେ ।

ତୋ ଦର୍ଶନେ ସିନ୍ଧୁ, ହୋଇ ଛିନ୍ନମନା

କେତେରୂପେ ତୋତେ କରେଁ ମୁଁ କଳ୍ପନା ।

 

ମହାରୁଦ୍ର ଅବା ବସି ଯୋଗାସନେ,

ଉଚ୍ଚାରନ୍ତି ଉଚ୍ଚେ ଓଁ କାର ସଭାନେ ।

ଫେନଚୂଡ଼ ବୀଚି ଧରିଛି ଏ ଛବି,

ଜଟାଜୁଟେ କିବା ଭ ମନ୍ତି ଜାହ୍ନବୀ ।

 

କିବା ନୀଳମଣି ନୀଳାଦ୍ରି-ମଣ୍ଡନ,

ପାଞ୍ଚଜନ୍ୟ ଶଙ୍ଖ କରନ୍ତି ବାଦନ ।

ଶିରେ ସପ୍ତଶାଖ କିରୀଟ ଯେସନ,

ସପ୍ତସରୀ ବୀଚି ଦିଶେ ଶୋଭାବନ ।

 

ଅବା କୁରୁକ୍ଷେତ୍ର-ସମର-ମୁଖର,

କୋଳାହଳେ ପୂର୍ଣ୍ଣ ଜେତା ବିଜିତର ।

ନତୁବା ନିଖିଳ ଚରାଚର ଭବେ,

ଏତେ ଶକ୍ତି ଆଉ କା କଣ୍ଠେ ସମ୍ଭବେ ?

 

ଦ୍ୱିତୀୟ ସର୍ଗ

 

ଐରାବତୀ ମୁଖୁ ସିଂହଳ ପର୍ଯ୍ୟନ୍ତ

ବ୍ୟାପ୍ତ ମହୋଦଧି ରୁଦ୍ର ବପୁବନ୍ତ ।

କେତେ ତୀର୍ଥ କେତେ ଇତିହାସ ସ୍ଥଳୀ,

ରାଜେ ଉପକୂଳେ କାଳଦର୍ପ ଦଳି ।

ପୁରାଣ-ପ୍ରଖ୍ୟାତ ପବିତ୍ର ଲୌହିତ୍ୟ

ତୋହ ନୀରେ ନୀର ମିଶାଉଛି ନିତ୍ୟ ।

ଯା ତୀରେ କାଉଁରୀ କାମଚଣ୍ଡୀ ରାଜ୍ୟ

କୋଷେ କିମ୍ବଦନ୍ତୀ ଯା ଅଦ୍ଭୁତ କାର୍ଯ୍ୟ ।

ନିବାସୀଏ ତାର କରି ମନ୍ତ୍ର ଜପ,

ପାରୁଥିଲେ ହେଳେ ଚଳାଇ ପାଦପ ।

ନୁହେଁ କି ଏ କଥା ଆଶ୍ଚର୍ଯ୍ୟ ବିଶେଷ,

ମନୁଷ୍ୟକୁ କରିପାରୁଥିଲେ ମେଷ ।

ବାରି-ଅନ୍ନପୂର୍ଣ୍ଣା ଅବନୀ ପାବନୀ,

ଦେବୀ ସୁରଧୁନୀ ସୃଜି କଳଧ୍ୱନି,

ଲୋଟାଏ ତୋ ପଦେ ସସମ୍ଭ୍ରମେ ମଥା,

ପ୍ରାବୃଟ ପୟରେ କାଦମ୍ବିନୀ ଯଥା ।

 

ତୋଳି ଧରି ତାକୁ ତୁହି ବୀଚି-କରେ,

କରୁ ଆଲିଙ୍ଗନ ବିପୁଳ ପ୍ରେମରେ ।

ହୁଏ ପରିଣତ ସେ ମହାଆଶ୍ଳେଷେ,

ବେନି ପ୍ରାଣ ଏକପ୍ରାଣରେ ନିମେଷେ ।

 

ଗଣ୍ୟ ତୀର୍ଥେ ଧନ୍ୟ ସେ ମିଳନ ସ୍ଥାନ,

ମିଳେ ଦିବ୍ୟଗତି କଲେ ତହିଁ ସ୍ନାନ ।

ମୁହାଣେ ‘ସାଗରଦ୍ୱୀପ’ ମନୋରମ,

ମୁଖ୍ୟ ନାମ ଯାର କପିଳ-ଆଶ୍ରମ ।

 

ହେଲେ ଭସ୍ମୀଭୂତ ତହିଁ ଋଷିଶାପେ,

ସଗରସନ୍ତାନେ ସମୁତ୍କଟ ପାପେ ।

ଭଗୀରଥ ତପେ ଆସି ଭାଗୀରଥୀ

ପ୍ରଦାନିଲେ ତାଙ୍କୁ ସଦୟେ ସଦ୍‌ଗତି ।

 

ପୂଜ୍ୟ ପିତୃକୁଳେ ତୋଷେ ଯେ କୁମର,

ସେହି ସିନା ବଂଶେ ଯୋଗ୍ୟ ବଂଶଧର ।

ପୁତ୍ର ନାମ ତାର ସାର୍ଥକ ସର୍ବଥା,

ଭାସ୍ୱର ମଣିରେ ମଣ୍ଡିତ ତା ମଥା ।

 

ଉପକଣ୍ଠେ ତୋର ସୁନ୍ଦରୀ-ସୁନ୍ଦର

ନୀରନ୍ଧ୍ର ‘ସୁନ୍ଦରବନ’ ଭୟଙ୍କର ।

ବ୍ୟାଘ୍ରଭୟ ସ୍ଥଳେ, ଜଳେ ନତ୍ରଭୟ,

ବିପଦର ତାହା ଶାଶ୍ୱତ ଆଳୟ ।

 

ତୋ ରୁଦ୍ର ନିନାଦେ ମିଶେ ହରଘଡ଼ି,

ଯହିଁ ବିକଟାଳେ ମହାବଳ ରଡ଼ି ।

ପାରେ ନାହିଁ ଭେଦି ସେ କାନନେ ଖରା,

ସତତ ଖଡ୍ଗୀଏ ଦିଅନ୍ତି ପହରା

 

ମହୋତ୍ସବ ସୃଜି ବନଦେବୀଗଣ,

ଜଳଦେବୀକୁଳେ କରି ଆମନ୍ତ୍ରଣ,

ବନୁ ପକ୍ୱକୋଳି ତୋଳି ଆଣି ଖୋଜି,

ଭିଆନ୍ତି ସେ ବନେ ନିତ୍ୟ ବନଭୋଜି ।

 

ଲତା-ଦୋଳେ ବସି ସିନ୍ଧୁପାଟେଶ୍ୱରୀ

ଚାରୁ ବନଫୁଲେ ରଚନ୍ତି କବରୀ ।

ଢାଳନ୍ତି ସଖୀଏ ପ୍ରବାଳ-ଚାମର,

ଗାବନ୍ତି ସ୍ୱାଗତ ସଙ୍ଗୀତ ଖେଚର ।

 

ପୁଣ୍ଡ୍ରକ ମଗଧ ଅଙ୍ଗବାସୀ ଯୋଧେ,

ଜଗୁଥିଲେ ତହିଁ ପାରିଧି ପ୍ରମୋଦେ ।

ତାଙ୍କ ସମାଗମେ ସେକାଳେ ଅଟବୀ,

ନିନ୍ଦୁଥିଲା ରମ୍ୟ ରାଜଧାନୀ ଛବି ।

 

ରତ୍ନପ୍ରଭା ପରେ କରୁଥିଲା ସ୍ନାନ,

ଲଭୁଥିଲା କେତେ ସଫଳ ସମ୍ମାନ ।

ସେ ଗୌରବଯୁଗ ଉଜ୍ଜ୍ୱଳ ବାସର,

ବହୁଦିନୁ ଆହା ହୋଇଛି ଅନ୍ତର !

 

ସେ ଅତୀତ-ସ୍ମୃତି-ଉତ୍ତେଜନା ଗୀତ,

ହେଉଅଛି ଏବେ ନୀରବେ ଧୁନିତ ।

ବହୁ ପୁରାବୃତ୍ତ ଘଟନା ପ୍ରଚ୍ଛନ୍ନେ,

ସୁପ୍ତେ ସ୍ୱପ୍ନ ପ୍ରାୟ ବେଢ଼ିଛି କାନନେ ।

 

ଥାଉ ସେ ପ୍ରସଙ୍ଗ କି ହେବ ତା ଝରି,

କେଉଁ ଫଳ ଭଲା ଉଜାଣି ପହୁଁରି ।

ଯାଉ ସେ ଅତୀତ ଯାଉଛି ତ ଚାଲି,

ବର୍ତ୍ତମାନ ହେଉ ଜୀବନ-ସଙ୍ଖାଳି ।

 

ଅର୍ଦ୍ଧାଂଶ ଏ ବନ ଅର୍ଦ୍ଧାଂଶ ନନ୍ଦନ,

ବୋଲିବା ଏକାଳେ ପରା ଅଶୋଭନ ।

ହେବ ସେ ସାଦୃଶ୍ୟ ବିନିନ୍ଦ୍ୟରେ ନିନ୍ଦ୍ୟ,

ବଲ୍ମୀକ ସହିତେ ତୁଳା ଯଥା ବିନ୍ଧ୍ୟ ।

 

ମାତ୍ର ଏ ବର୍ଣ୍ଣନା ନୁହେଁ ଉପହାସ୍ୟ -

‘‘ଏକ ତତ୍ତ୍ୱ ଅବା ଦ୍ୱିବିଧେ ପ୍ରକାଶ ।

କିମ୍ବା ଦୁଇ ବ୍ୟାଖ୍ୟା ଏକଇ ଶ୍ଳୋକର,

ଅଥବା ଦ୍ୱିଚ୍ଛାୟ ଏକ କଳେବର ।’’

 

ତାମ୍ରଲିପ୍ତପୁରୀ କୁବେର-ଭବନ,

ବାଣିଜ୍ୟ-କମଳା-ରତ୍ନସିଂହାସନ ।

ନିଃଶଙ୍କେ ନିର୍ଦ୍ୱନ୍ଦ୍ୱେ ପୂର୍ବେ ଯେଉଁ ପୁରେ

ଶାସୁଥିଲେ ବସି ଭଞ୍ଜବଂଶୀ ଶୂରେ ।

 

ଉତ୍କଳୀୟ ରାଜା ଉତ୍କଳୀ ପରଜା,

ଉଡ଼ୁଥିଲା ଦର୍ପେ ଉତ୍କଳୀୟ ଧ୍ୱଜା ।

କଲା ତହୁଁ ଆସି ଦୈତ୍ୟ ରକ୍ତବାହୁ,

ସ୍ୱାଧିନତାଧାତ୍ରୀ ଉତ୍କଳେ ଚଢ଼ାଉ ।

 

ଛୁଇଁଣ କୁକ୍ଷଣେ ବିଶ୍ୱସ୍ତୁତ ଦେଶ,

ଅକାଳେ ବିଫଳେ କଲା ଆୟୁ ଶେଷ ।

ନାଶିଲା ତାକୁ ତା ଦୁର୍ବାର ଦୂରାଶା,

ଉଗ୍ର ଅସନ୍ତୋଷ, ଉପାଧି-ପିପାସା ।

 

ଅଳ୍ପରେ ସନ୍ତୁଷ୍ଟ ସଜ୍ଜନ ଆଚାର,

ମାତ୍ର ମତ୍ସରୀକି ନ ଅଣ୍ଟେ ସଂସାର ।

ବିସ୍ତାରି ତରଙ୍ଗ-କର ଦାମୋଦର

କରୁଛି ମର୍ଦନ ସୌହାର୍ଦ୍ୟେ ତୋ କର ।

 

ଯା ବିକଟ ବନ୍ୟା ହୃଦୁଁ ଧୈର୍ଯ୍ୟ ଲୁଟେ,

ତୀର ଜନପଦେ ଥରାଇ ପ୍ରାବୃଟେ ।

ଶିଥିଳ-କୁଟିଳ-ଗାମିନୀ ହୁଗୁଳି,

ନିଉଁଛାଏ ତୋତେ ଦେଇ ହୁଳହୁଳୀ ।

 

ତୀରେ କଲିକତା ଦେବମନୋହରା,

କଳିଯୁଗେ ଧନୀ ମର୍ତ୍ତ୍ୟରେ ଅମରା ।

ମହୁଡ଼ମଣି ସେ ଭାରତମାତାର,

ନବଭାରତର ନବ ଅଳଙ୍କାର ।

 

ଭାରତ ସଂକ୍ଷିପ୍ତସାର ସେ ନିଶ୍ଚିତ,

ଶିକ୍ଷା, ଶକ୍ତି, ନୀତି ସେଠାରେ କେନ୍ଦ୍ରିତ ।

ବସନ୍ତି ତା ବକ୍ଷେ ମହାକାଳୀ ସୁଖେ,

ଉଜ୍ଜ୍ୱଳି ଦିଗନ୍ତ ମହିମା-ମୟୂଖେ ।

 

ମହାଶକ୍ତି ପୀଠ ଧରଣୀରେ ସାର,

ଲାଗିଥାଏ ମାତ୍ର ନୃଶଂସ ବେଭାର ।

ବଳି ରକ୍ତେ ସିକ୍ତ ହାୟ ତୀର୍ଥସ୍ଥଳ,

ନନ୍ଦନ କାନନେ ଜଳେ ଦାବାନଳ ।

 

ସ୍ୱର୍ଣ୍ଣ-ସୈକତିନୀ ନଦୀ ସ୍ୱର୍ଣ୍ଣରେଖା,

ଗୌରବ-ପୁରାଣେ ଖ୍ୟାତି ଯାର ଲେଖା,

ଯାହା ବକ୍ଷେ ରଘୁ ରଚି ଗଜ-ସେତୁ,

ପାରିକରେ ସୈନ୍ୟେ ଅରିକୁଳ-କେତୁ ।

 

ସେ ଅମିୟତୋୟା ନଦୀ-ରାଜ୍ୟ-ରାଣୀ,

ମିଶାଉଛି ଆଣି ତୋ ପାଣିରେ ପାଣି ।

ପୁରୋହିତରୂପେ ପିପିଲି ନଗର,

ବାନ୍ଧିଦିଏ ହାତଗଣ୍ଠି ଉଭୟର ।

 

ସ୍ୱୟଂ ବାରୀନ୍ଦ୍ରାଣୀ ସର୍ବତୀର୍ଥେଶ୍ୱରୀ,

ଖଟାଇ ଏଠାବେ ଚାରୁ ଶଙ୍ଖ-ତରୀ ।

ଏ ସଙ୍ଗମ ତୀର୍ଥେ ସ୍ନାନି ପୁଣ୍ୟ ମନେ,

ରଚନ୍ତି ବିହାର ତୀର-ତାଳିବନେ ।

 

ହିନ୍ତାଜନିକୁଞ୍ଜ ଚାରୁ, ନିରୂପମ,

ଲୁଚେ ତହିଁ ବ୍ୟାଘ୍ର ଜନ୍ତୁରୂପୀ ଯମ;

ହାଟକହାସିନୀ ବିଜୁଳି ଉଦରେ,

ଲୁଚିଥାଏ ଯଥା ବଜ୍ର ପ୍ରଚ୍ଛନ୍ନରେ ।

 

ଅଦୂରେ ବାଲିଆପାଳ ଅବସ୍ଥିତ,

ତୁଙ୍ଗ ବାଲିସ୍ତୂପ-ସ୍ତରେ ତରଙ୍ଗିତ ।

ରାଜପଣ ତହିଁ କରେ ଜୀର୍ଣ୍ଣଜୁର,

ଯୌତୁକ ଭୂଇଁ ସେ ଭଲ୍ଲୁକବଂଶର ।

 

ଭୂଷଣ୍ଡଈଶ୍ୱର ବସନ୍ତି ସଙ୍ଗମେ,

ବନ୍ଦେ ତାଙ୍କୁ ଧନୀ ସଦା ସସମ୍ଭ୍ରମେ ।

ତରୀପାଦ ଟେକି ଯୋଡ଼ି ବେନି କର,

ଜୁହାରନ୍ତି ଦୂରୁ ନାବିକନିକର ।

 

ବିଦେଶୀ ବଣିକେ ଏଠାବେ ପହିଲେ,

ବାଣିଜ୍ୟ ମନ୍ଦିର ସଂସ୍ଥାପିଣ ଥିଲେ ।

ଏହିଠାରୁ ପୋତବାହୀ ଓଡ଼ିଆଏ,

ଭମୁଥିଲେ ଯାଭା ବାଲିଦ୍ୱୀପ ଯାଏ ।

 

ହୋଇଛି ଅତୀତ ସେ ଉଜ୍ଜ୍ୱଳ ଦିନ,

ସେ ପୂର୍ବଗୌରବ ଏକାଳେ ମଳିନ ।

ଭାଗ୍ୟ ତ କାହାରି ନୁହେଁ ଆଜ୍ଞାବହ,

ନିର୍ଲକ୍ଷ୍ୟେ ସେ ଉଡ଼ିବୁଲେ ଅହରହ ।

 

ଏକ ସ୍ଥାନେ ବହୁ ଦିନ ଯାପିବାର,

ଲେଖି ନାହିଁ ବିହି କୋଷ୍ଠିରେ ତାହାର ।

ଉତ୍ଥାନ ପତନ ଲାଗିଛି ସତତ,

ଉତ୍ଥାନ ପତନେ ଗଢ଼ା ଏ ଜଗତ ।

 

ପତନର ହେତୁ ଉତ୍ଥାନ ଯେସନ,

ଉତ୍ଥାନେ ଆହ୍ୱାନେ ତେସନ ପତନ ।

ଅଦ୍ୟ ଦିବସର ବୈଫଲ୍ୟରେ ସିନା,

ହେଉଅଛି କାଲି ସଫଳତା କିଣା ।

 

ପାଞ୍ଚପଡ଼ା ମୁଖେ ବିଦିତ ସାରଥା, ୧

ବଖାଣେ ନୀରବେ ବହୁ ପୂର୍ବକଥା ।

ଦୃଷ୍ଟିମାତ୍ରେ ତାକୁ ଭାବୁକ-କଳ୍ପନା

ସ୍ମୃତି-ମୂଲ୍ୟେ କିଣେ ଅତୀତ ଘଟଣା ।

 

ଭବ-ଦାବେ ଦହି ମାନବାତ୍ମା ଯଥା,

ଧାଏଁ ବିଭୁପାଶେ ନିବେଦନେ ବ୍ୟଥା;

ତଥା ବଳାକିନୀ ନୀଳାଙ୍ଗୀ ବଳାଙ୍ଗୀ

ଧାଉଁଛି ତୋ ପାଶେ ବହୁ ବାଙ୍କ ଭାଙ୍ଗି ।

 

ଦାରୁଣ ସନ୍ତାପେ ହୋଇ ଛନ୍ନମନା

ଜଣାଏ ପ୍ରାଣର ବ୍ୟାକୁଳ ବେଦନା ।

ବିଶ୍ୱର ସନ୍ତାପ ଖଣ୍ଡେ ଯାହା ଜଳ,

ନିଜ ଦେହ ତାପ ନାଶେ ସେ ଦୁର୍ବଳ ।

 

ଇଚ୍ଛିଲେ କ୍ଷଣକେ ବାରି ବର୍ଷି ଘନ

କରିପାରେ ଭବୁ ଅଗ୍ନି ନିର୍ବାପନ,

ମାତ୍ର ନିଜ ଦେହଜାତ ବଜ୍ରାନଳେ,

ନିଭାଇ ନ ପାରେ କୋଟି ଅସ୍ରା ଜଳେ ।

 

ତୁହି ତା’ ବେଦନା ଖଣ୍ଡନେ ଭାଜନ,

ନିବେଦୁଛି ତେଣୁ ଫେଡି ପ୍ରାଣମନ ।

ନିର୍ଦୋଷ ପ୍ରାର୍ଥନା ହୃଦୟାଳୁ ପାଶେ,

ସଫଳତା ସିନା ଲଭେ ଅନାୟାସେ ।

 

ତୀରେ ବାଲେଶ୍ୱର ସମୃଦ୍ଧ ନଗର,

ସଦ୍‌ଗୁଣ-ସଭ୍ୟତା-ମାଣିକ୍ୟ ଆକର ।

ବସ୍ତ୍ର ଶିଳ୍ପ ଯାର ଅତୁଳ ଅଦ୍ଭୁତ,

ସୁଦୂର ବିଦେଶେ ହୁଏ ସମାଦୃତ ।

 

ହେଉଥିଲା ତହିଁ ସୁଲୁପ ନିର୍ମିତ,

ଜାତୀୟ ଅର୍ଣ୍ଣବ ରଥ-ମେଦୂରିତ ।

ଶଶବ୍ୟସ୍ତେ ତୋତେ ସଙ୍ଖୋଳିବା ପାଇଁ,

କୃଶ କାଂସବାଂଶ ଆସେ ବେଗେ ଧାଇଁ ।

 

ଜନ୍ମି ଯାହା କୂଳେ କବି ରାଧାନାଥ

ଉତ୍କଳ ଭାଷାକୁ କଲେକ କୃତାର୍ଥ ।

ଉତ୍କଳକୁ କଲେ ଦିବ୍ୟ ରତ୍ନ ଦାନ,

ସାହିତ୍ୟ-କ୍ଷେତ୍ରେ ସେ ପ୍ରବୀଣ କୃଷାଣ ।

 

ତାଙ୍କ ପ୍ରାଣମୟୀ କଳ୍ପନା ଦୁର୍ଲ୍ଲଭ,

କରିଦିଏ ଆଶା ସ୍ୱପ୍ନେ ସ୍ୱର୍ଣ୍ଣପ୍ରଭ ।

ସ୍ୱର୍ଗବାର୍ତ୍ତା ଆଣେ ମର୍ତ୍ତ୍ୟେ ଆଚମ୍ବିତେ,

ବର୍ତ୍ତମାନାସନେ ବସାଏ ଅତୀତେ ।

 

ଜଡ଼ ତୂଳିକାରେ କଳ୍ପନାର ଛବି,

ଅଙ୍କିବା ଅସାଧ୍ୟ ନ ମଣନ୍ତି କବି ।

ଢାଳୁଥିଲେ ନିଜ ରକ୍ତ ନିର୍ବିକାରେ,

ଜାତୀୟ-ସାହିତ୍ୟ ଶିରା ପ୍ରଶିରାରେ ।

 

ହେବାଯାଏ ଆହା ମୃତ୍ୟୁ-ଶଯ୍ୟାଗତ,

ଥିଲେ ସମଭାବେ କର୍ତ୍ତବ୍ୟନିରତ ।

ଅସ୍ତକାଳେ ସୁଦ୍ଧା ଦେବ ବିକର୍ତ୍ତନ

କରିଯାନ୍ତି ସ୍ନିଗ୍‌ଧ ରଶ୍ମି ବିକିରଣ ।

 

ବସନ୍ତି ବେଳାରେ ପାଟଣମଙ୍ଗଳା,

ଦନୁଜଦଳିନୀ ପ୍ରତାପ-ପ୍ରବଳା ।

ଅଦୂରେ ଆଡ଼ିଆ ସମୁଚ୍ଚ ଭୂଖଣ୍ଡ,

ତର୍ଜେ ଯାକୁ ସଦା ତରଙ୍ଗ ପ୍ରଚଣ୍ଡ ।

 

ଚିର ଶସ୍ୟଶ୍ୟାମ ଅତୀବ ଉର୍ବର,

ଖମ୍ବଆଳୁ ଯାର ସ୍ତମ୍ଭଦମ୍ଭହର ।

ପ୍ରାଚୀନ ବାଣିଜ୍ୟକେନ୍ଦ୍ର-ଚୂଡ଼ାମଣ

ଯୋଗାଉଣଥିଲା ଉତ୍କଳେ ଲବଣ ।

ଯାଇଛି ଚାଲି ତା ସୌଭାଗ୍ୟ ସୁଦିନ,

ଏକାଳେ ନଗର ଅତି ଦୀନହୀନ ।

ଅନନ୍ତର ଭେଡ଼ା ଆଙ୍କୁଡା ଆବର,

ଗୋ ମହିଷ ଦଧି ଘୃତ ସରୋବର ।

ପାଣି ପ୍ରଜା ମାଛ ତିନିହେଁ ସେଠାରେ

ଅନ୍ଧ ବୋଲି ପୁରା ପ୍ରବାଦ ପ୍ରଚାରେ ।

ସେ ବିରାଟ ପାଟେ ପାନ୍ଥ ହୁଏ ବଣା,

ବେଣାମୁଟା ଯହିଁ ତରୁରୂପେ ଗଣା ।

ବହିତ୍ର-ବନ୍ଦିତ ରମ୍ୟ ଚାନ୍ଦବାଲି,

ବାଣିଜ୍ୟ-ଗୌରବ ରଖିଛି ସମ୍ଭାଳି ।

ପ୍ରତିଦ୍ୱନ୍ଦୀ ହୋଇ ବାଷ୍ପୀୟ ଶକଟ,

ପାରି ନାହିଁ କରି ତାକୁ ଅପ୍ରକଟ ।

ପାଶେ ତାର ରୁଦ୍ର ଧାମରା ମୁହାଣ,

ବଖାଣେ ଯେ ବର୍ଷା ଭବିଷ୍ୟପୁରାଣ ।

 

ସାଳନ୍ଦୀ ସଖୀକି ଏକ ଆଡ଼ୁ ଘେନି,

ଆସେ ବୈତରଣୀ ସୃଜି ସ୍ରୋତ-ବେଣୀ ।

ଆନ ଆଡ଼ୁ ବ୍ରାହ୍ମୀ ସଙ୍ଗିନୀ ଗହଳେ,

ଧାଏଁ ବ୍ୟଗ୍ରେ ଗୌଣେ ମୃଦୁ କୋଳାହଳେ ।

 

ଆଗ୍ରହେ ପଖାଳି ଧାମରା ପୟର,

ହୋଇଛନ୍ତି ଏକ ମିଶି ପରସ୍ପର ।

ମଣି ତୋତେ ସିନ୍ଧୁ ଅନ୍ତିମ ଆଶ୍ରୟ,

ଭଜିଛନ୍ତି ଶେଷେ ତୋ ପଦେ ବିଲୟ ।

 

ଦୃଢ଼ ସେ ମିଳନ, ଅଚ୍ଛେଦ୍ୟ ସେ ପାଶ,

ବିଚ୍ଛେଦର ତହିଁ ନାହିଁ ଅବକାଶ ।

ସେ ମିଳନତୀର୍ଥ ପରମ ପାବନ,

କଳିର କଳ୍ମଷକ୍ଷାଳନେ ଭାଜନ ।

 

ମରଧାମେ ଏକା ସେ ତୀର୍ଥ ସମ୍ଭବ,

ମାତ୍ର ମରେତରେ ଚିର ଅସୁଲଭ ।

ହେଉ ପଛେ ମଞ୍ଚ ଯେଡ଼େ କଳୁଷିତ,

ମାତ୍ର ନୁହେଁ ଏହା ଦେବତ୍ୱୁଁ ବଞ୍ଚିତ ।

 

କଣ୍ଟକେ ଜଡ଼ିତ ନୁହେଁ ଖାଲି ବନ,

ଫୁଟେ ସୁଦ୍ଧା ତହିଁ ସୁରଭି ସୁମନ ।

ଥିଲେହେଁ ଆମିଷ ଶୃକ୍ତିକା ଗରଭେ,

ମାତ୍ର ଗୌରବିତ ମୌକ୍ତିକ-ବିଭବେ ।

 

ହୁଅନ୍ତି ଅମରେ ଏଥି ସୁଦ୍ଧା ଜାତ,

ଫୁଟେ ଏ ଶ୍ମଶାନେ ପ୍ରୀତି-ପାରିଜାତ,

ବହେ ସୁଦ୍ଧା ଏଥି ଦୟା-ମନ୍ଦାକିନୀ,

ବେଳେ ବେଳେ ଯାଏ ତ୍ରିଦିବେ ଏ ଜିଣି ।

 

କନିକା ଭୂଖଣ୍ଡେ ବ୍ରାହ୍ମୀ ବେନି କରେ,

ଧରିଛି କୁଣ୍ଢାଇ ଉନ୍ମତ୍ତ ପ୍ରେମରେ ।

ବେଳାପୃଷ୍ଠେ ଯହିଁ ହିନ୍ତାଳ କାନନ,

ଅଜଗର ଶ୍ୱାସେ ଥରେ ଘନ ଘନ ।

 

ବିନ୍ଧ୍ୟ ଜେମାଦେବୀ ତରଙ୍ଗତାଣ୍ଡବୀ,

ଏ ମହୀମଣ୍ଡଳେ ଦ୍ୱିତୀୟ ଜାହ୍ନବୀ,

ସୁକାନ୍ତି ମହର୍ଷି ତପଃସିଦ୍ଧିଧାରା,

ଅବନୀ-ହୃଦୟ-ସୁଶୀତଳ-ହାରା,

 

ସେହି ଚିତ୍ରୋତ୍ପଳା ନିତ୍ୟ ନିରବଧି,

ସଙ୍ଖୋଳୁଛି ତୋତେ ସ୍ନେହେ ମହୋଦଧି !

ଦୂରୁ ଦିଶେ ଯଥା ସୁପର୍ଣ୍ଣ ଭୟରେ,

ପଶୁଛି ପନ୍ନଗୀ ସମୁଦ୍ର ଉଦରେ ।

 

ଅସ୍ତଗାମୀ ସୂର୍ଯ୍ୟ ପ୍ରଭା ସେ ସଙ୍ଗମେ,

ସିନ୍ଧୁ ବୀଚି ଅଙ୍ଗେ ବୋଳି ହୋଇ ଭ୍ରମେ ।

କିବା ସେ ଜ୍ଞାନର କଷଟିରେ ଲେଖା,

ପ୍ରତିଭା-ସ୍ୱର୍ଣ୍ଣର ଶତ ଦୀପ୍ତରେଖା ।

 

ଉତ୍କଳର ନୀତି, ଶିକ୍ଷା, ଶକ୍ତି, ବଳ -

ମୂଳ ଉପାଦାନ ଯା ଅମୃତ ଜଳ,

ଯାହା ଜଳପାନେ ଉତ୍କଳୀୟ ବୀରେ,

ଅତୁଳ କୀରତି ଅର୍ଜିଲେ ମହୀରେ ।

 

ଅର୍ଜିଥିଲେ ପୁଣି ଅସୀମ ସାହସ,

ପ୍ରଦର୍ଶୁଣଥିଲେ ଶମନେ ସାଧ୍ୱସ ।

ନ ଗମନ୍ତି ରଣେ ମରଣ ମନାସି,

ଗମନ୍ତି କେବଳ ମାରଣ ମନାସି ।

 

‘ବିପଦୂ ଉଦ୍ଧର’ ଏ ମୃତ ପ୍ରାର୍ଥନା

ନ କରନ୍ତି କେବେ ସ୍ୱପ୍ନେ ସେ କଳ୍ପନା ।

‘ବିପଦକୁ ଭୟ ନ କରୁଁ’, ଏ ବର

ଯାଚନ୍ତି ସେ ଇଷ୍ଟଦେବେ ଯୋଡ଼ି କର ।

 

ବାହାରେ ଓଡ଼ିଆ ବୀର ରଣବେଶେ,

ମାତ୍ର ନ ବାହାରେ ମରଣବେଶେ ସେ ।

‘ରଖ ରଖ’ ରଣେ ଏ କ୍ଳୀବ ବଚନ,

ନ ଉଚ୍ଚାରେ ବୀର ଓଡ଼ିଆ ବଦନ ।

 

ଥିଲା ବୋଲି ସିନା ଏହି ଗୁଣଚୟ,

ଆକୁମାରୀ ଗଙ୍ଗା କରିଥିଲେ ଜୟ ।

ନିର୍ବାଣ ଏବେ ସେ ଉତ୍ସାହ-ହୁତାଶ,

ନାଶି ତାକୁ କାଳ ଲଭିଛି ବିନାଶ ।

 

ଉତ୍‌କ୍ଷିପ୍ତ ପ୍ରସ୍ତର ଝାଡ଼ି ବୃକ୍ଷୁ ଫଳେ,

ଫଳ ସଙ୍ଗେ ସିନା ପଡ଼େ ନିଜେ ତଳେ ।

ସେ ଗରିମା କ୍ଷୀଣ ହୋଇ ଅଳ୍ପେ ଅଳ୍ପେ,

ଏ କାଳରେ ଆସି ରହିଲାଣି ଗଳ୍ପେ ।

 

ତହୁଁ ସୁଦ୍ଧା ଚ୍ୟୁତ ହୋଇ ସେ ବହନ,

କରିବ ସମ୍ପୂର୍ଣ୍ଣ ଆତ୍ମ-ସମ୍ବରଣ ।

କାଠଯୋଡ଼ିପୁତ୍ରୀ ଦେବୀକଳ୍ପା ଦେବୀ,

ମଣୁଛି କୃତାର୍ଥ ତୋହୋ ପାଦ ସେବି ।

 

ଦକ୍ଷିଣେ ତାହାର ସୁପ୍ରାଚୀନା ପ୍ରାଚୀ,

ପ୍ରାଚୀ ଦିଗମୁଖେ ଆସେ ନାଚି ନାଚି ।

ଯା ପବିତ୍ର ତୀର କରିଛି ମଣ୍ଡନ,

ପୌରାଣିକ ରମ୍ୟ ଦଣ୍ଡକକାନନ ।

 

ଯା କୂଳେ କେନ୍ଦୁକୀ ଗ୍ରାମ ବିଦ୍ୟମାନ,

କବି ଜୟଦେବ ପୂଣ୍ୟ ଜନ୍ମସ୍ଥାନ ।

ପାନ କରି କବି ଏ ନଦୀ ଉଦକ

ବିରଚିଲେ ‘‘ଗୀତ-ଗୋବିନ୍ଦ’’ ପୁସ୍ତକ ।

 

ସିତ-ପୂତ ନୀରା ମର୍ତ୍ତ୍ୟେ ଅତୁଳନା,

ସଲିଳ ଏହାର ପଞ୍ଚାମୃତ ପଣା ।

ଗଙ୍ଗାଦେବୀ କରି ପ୍ରାଚୀନୀରେ ସ୍ନାନ,

ଲଭନ୍ତି ଜଗତ ପାପୁଁ ପରିତ୍ରାଣ ।

 

ସ୍ୱକୀୟ ଅତୁଳ ପାବିତ୍ର୍ୟେ ଜାହ୍ନବୀ,

ନ ପାରନ୍ତି ଦୁଷ୍ଟ ପାପେ ପରାଭବି ।

ଅସାଧ୍ୟ ବ୍ୟାଧିର ପାଶେ ମହୋଦଧି,

ହୀନବୀର୍ଯ୍ୟ ସିନା ହୁଏ ମହୌଷଧି ।

 

ଚନ୍ଦ୍ରଭାଗା ନଦୀ ତନୟା ତାହାର,

ଲମ୍ବାଏ ତୋ କଣ୍ଠେ ପ୍ରେମ-ହେମ ହାର ।

ମକରେ ଏ ତୀର୍ଥେ ପଡ଼େ ସ୍ନାନଯୋଗ,

ଖଣ୍ଡନେ କ୍ଷମ ଏ ପାପତାପରୋଗ ।

 

ଦେଖି ଏଥି ଯାତ୍ରୀ ପ୍ରାତେ ରବି ରଥ

ମହାନନ୍ଦେ ମଣେ ସାର୍ଥ ମନୋରଥ ।

ଆକର୍ଷେ କୋଣାର୍କ ଦର୍ଶକର ନେତ୍ର,

ପୌରାଣିକ ନାମ ଯାର ପଦ୍ମକ୍ଷେତ୍ର ।

 

ତୋଳିଛି ତା ବକ୍ଷେ ଜୀର୍ଣ୍ଣ ଭଗ୍ନ ଶିର,

ଭାସ୍କର୍ଯ୍ୟ-ଭାସ୍ୱର ଭାସ୍କର ମନ୍ଦିର ।

ପ୍ରାଚୀନ ଶିଳ୍ପର ଜୀବନ୍ତ ପ୍ରତିଭା,

ବିସ୍ତାରିଛି ତହିଁ ମହିମାର ବିଭା ।

 

ଦୃଷ୍ଟିମାତ୍ରେ ତାହା ଦର୍ଶକନିକରେ,

ଅତୀତ ଯୁଗକୁ ଟାଣିନିଏ ଖରେ ।

ଫିଟାଇ ଅତୀତ ଜାତୀୟେତିହାସେ,

ପଢ଼େ ଖ୍ୟାତି ଅଧ୍ୟା ସକରୁଣ ଭାଷେ ।

 

ନ ହେଉ ଦେଉଳ ପଛେ ପ୍ରାଣବାନ,

ମାତ୍ର କରିପାରେ ମୃତେ ପ୍ରାଣଦାନ ।

ଆଙ୍କିଦିଏ ପୁଣି ଦୟାରେ ସଂଦ୍ରବି,

ଆଶା ଚିତ୍ରପଟେ ଭବିଷ୍ୟତ ଛବି ।

 

ଉତ୍କଳ ମହତ୍ତ୍ୱ ଉତ୍କଳ ସଭ୍ୟତା,

ଉତ୍କଳର ଶିକ୍ଷା ଦକ୍ଷତା ଏକତା,

ଗୋଟି ଗୋଟି ଆଣି ଦେଖାଇ ଆଗରେ,

ବୁଡ଼ାଏ ମାନସେ ବିସ୍ମୟ-ସାଗରେ ।

 

ବିରାଜେ ଅଦୂରେ ନୈତ୍ରେୟ କାନନ,

ଶ୍ୟାମଳ ଚଟୁଳ ପୁନ୍ନାଗେ ବିଘନ ।

ପିତୃ ଅଭିଶସ୍ତ ଶାମ୍ବ ମହାମନା,

କରି ଏ କାନନେ ସୂର୍ଯ୍ୟେ ଆରାଧନା,

 

ଦେଖି ପଦ୍ମପତ୍ରେ ମାର୍ତ୍ତଣ୍ଡ ମୂରତି,

ଲଭିଥିଲେ ବ୍ୟାଧି ହସ୍ତୁ ଅବ୍ୟାହତି ।

ବସନ୍ତ ନିଶୀଥେ ବିବୁଧ-ବନିତା,

ପୁନ୍ନାଗ-ପରାଗେ ହୋଇ ପ୍ରଲୋଭିତା,

 

ଅବତରି ଜ୍ୟୋତ୍ସ୍ନା-ପ୍ରରୋହ ସାହାଯ୍ୟେ,

ବିହରନ୍ତି ଏହି ପୁରାସ୍ମୃତି ରାଜ୍ୟେ ।

ଚନ୍ଦ୍ରିକା-ଚର୍ଚ୍ଚିତ ଚିତ୍ର ଶମ୍ବୁକରେ

ଚନ୍ଦ୍ରାଲୋକେ କ୍ରୀଡ଼ା ରଚନ୍ତି ଆଦରେ

 

ପୁଷ୍ପରେଣୁ ଆଣି ସିନ୍ଧୁ ସମୀରଣ,

ଦେବୀଙ୍କ ଶ୍ରୀମୁଖେ କରେ ବିଲେପନ ।

ଭୃଗୁସ୍ନାନପୂତା ଭାର୍ଗବୀଦୁହିତା -

କୁଶଭଦ୍ରା, ଅଗ୍ରେ ହୁଏ ପ୍ରବାହିତା ।

 

କି ଗୁପ୍ତ ଉଦନ୍ତ କାହୁଁ ଆଣି ବହି,

ଯାଉଛି ତୋ କର୍ଣ୍ଣେ ଅନର୍ଗଳ କହି ।

ବିଲ୍ୱେଶ୍ୱର ହର ବାଲିଶୈଳଶିରେ

ବସନ୍ତି ବିବିକ୍ତେ ରୁଚିର ମନ୍ଦିରେ ।

 

ସକୃଷ୍ଣପାଣ୍ଡବ ସ୍ନାନି ସିନ୍ଧୁଜଳେ

ଶିବରୂପେ ଏଥି ସ୍ଥାପି ବିଲଫଳେ,

ସମାପି ଶଙ୍କର ପୂଜା କୁତୂହଳେ,

ଦାନବ ବଧାର୍ଥେ ପଶିଲେ ଭୂତଳେ ।

 

ତୃତୀୟ ସର୍ଗ

 

ମହୀ-ମହିମିତ ମହାବ୍ଧି ତୁହିରେ,

ମର୍ତ୍ତ୍ୟ-ବଇକୁଣ୍ଠ ବିରାଜେ ତୋ ତୀରେ ।

ଚାରିଧାମେ ସାର ଜଗନ୍ନାଥ ଧାମ,

ସ୍ୱର୍ଗେ ଅନୁପମ, ମର୍ତ୍ତ୍ୟେ ଅଭିରାମ ।

ଭାରତ-ଆକରେ ଉତ୍କଳ-ହୀରକ,

ଶ୍ରୀକ୍ଷେତ୍ର ତାହାର ଆଲୋକ ଝଲକ ।

ଭାରତ-ଆଶ୍ରମେ ବେଦିକା ଉତ୍କଳ,

ପୁଣ୍ୟ ବେଦଧ୍ୱନି ତହିଁ ନୀଳାଚଳ ।

ଅଥବା ଭାରତ ରମ୍ୟ ଉପବନ,

ଉତ୍କଳ ତହିଁରେ ପ୍ରଫୁଲ୍ଲ ସୁମନ;

ଶଙ୍ଖକ୍ଷେତ୍ର ତାର ଦିବ୍ୟ ପରିମଳ,

ବସି ଯାଇଅଛି ହୋଇଣ ବହୁଳ ।

ଯୁଗେ ଯୁଗେ ଆର୍ଯ୍ୟଧର୍ମର ବର୍ତ୍ତିକା

ତୋଳିଛି ଯେ କ୍ଷେତ୍ରେ ସମୁଜ୍ଜ୍ୱଳ ଶିଖା ।

ଭାଗ୍ୟଧରେ ଧନ୍ୟ ତୁହି ମହୋଦଧି,

ପଖାଳୁ ସେ କ୍ଷେତ୍ର-ପାଦ ନିରବଧି ।

 

ମୁରୁଛି ନ ପାରି ତୋ ତୀର ସୁଷମା,

ବିଳସନ୍ତି ତହିଁ ନୀଳାଦ୍ରି-ଚନ୍ଦ୍ରମା ।

ମହୀତଳେ ମୌନ ମହିମା ପ୍ରକାଶି,

ବିଳେ ତୋ ପ୍ରତୀରେ ପ୍ରଭୁ ବ୍ରହ୍ମରାଶି ।

 

ଭକ୍ତ ବୈଷ୍ଣବର ପୁଣ୍ୟ ସ୍ତୁତିଗାନେ,

ରଙ୍ଗ ଆତୁରଙ୍ଗ ଆକୁଳ ଆହ୍ୱାନେ,

ଚିର ମୁଖରିତ ତାହାଙ୍କ ଦେଉଳ,

ଏକାଧାରରେ ତହିଁ ଚତୁର୍ବଗ ଠୁଳ ।

 

ଦୂରେ ଚକ୍ରତୀର୍ଥ ସିକତାପ୍ରବଣ

ସ୍ପର୍ଶମାତ୍ରେ କରେ ପତିତେ ତାରଣ ।

ତରୁରୂପେ ଗଣା ତହିଁ ପାଣିବେତ,

ଉଡ଼ାଏ ସତତ ପତ୍ର ବ୍ୟାଜେ ନେତ ।

 

ପଶୁପକ୍ଷୀଶୂନ୍ୟ ନିସ୍ତବ୍ଧ ନିର୍ଜନ,

କରେ ପ୍ରତିଧ୍ୱନି ପାନ୍ଥେ ସମ୍ଭାଷଣ ।

ସପ୍ତଦିନବ୍ୟାପୀ ଉତ୍ପାତ ପ୍ରବଳ,

କଲା ଯେବେ ପୁରୀକ୍ଷେତ୍ରେ ଟଳମଳ,

 

ବହିଲା ପ୍ରବଳେ ପ୍ରଳୟ ପବନ,

ସୃଜି ଘନଘନ ସନସନ ସ୍ୱନ ।

ବର୍ଷିଲା ମୂଷଳଧାରେ କାଦମ୍ବିନୀ,

ସପ୍ତ ଦିବାନିଶି ହସିଲା ଦାମିନୀ ।

 

ମୁହୁର୍ମୁହୁଃ କାଳ ଅନଳ ରସନା,

ଲହଲହ କଲା ପ୍ରାୟ ଗଲା ଜଣା ।

ମୃତ୍ୟୁବୃଷ୍ଟି ପ୍ରାୟ ହେଲା ବଜ୍ରବୃଷ୍ଟି,

ସତେ ଅବା ଗଲା ରସାତଳେ ସୃଷ୍ଟି ।

 

ତୁହି ସୁଦ୍ଧା ସିନ୍ଧୁ ନ ରହି ନୀରବେ,

ଯୋଗଦେଲୁ ଆସି ସେ ରୁଦ୍ରତାଣ୍ଡବେ ।

କୋପେ ଶିର ଝୁଣି ଉଚ୍ଚେ ଗଳଗାଜି,

ଧାଇଁଲୁ ପ୍ରଚଣ୍ଡେ ଦଳବଳ ସାଜି ।

 

ଉତ୍କଳ ପ୍ରବାହେ ଉତ୍‌ଫୁଲ୍ଲି ତୁ ଅତି,

ଫିଙ୍ଗି ଚୂର୍ଣ୍ଣ କଲୁ କୂଳେ ପୋତପନ୍ତି ।

କେତେ ବା ବୁଡ଼ାଇ କଲୁ ଗର୍ଭସାତ୍‌,

ଅନର୍ଗଳ ରଡ଼ି ଛାଡ଼ିଲୁ ନିର୍ଘାତ ।

 

ବିପଦରେ ହୋଇ ଆଗ୍ରୀବ ମଜ୍ଜିତ,

ହେଲେ କ୍ଷେତ୍ରଦେବୀ ଭୀତିବିବ୍ୟଥିତ ।

ଡାକିଲେ କରୁଣେ ଲଙ୍ଘି ଧୈର୍ଯ୍ୟସୀମା,

ରଖ ନୀଳମଣି ନୀଳାଦ୍ରି-ମଣିମା ।

 

ଦେବୀଙ୍କର ଦୁଃଖେ ଦ୍ରବି ଜନାର୍ଦ୍ଦନ,

ସୁଦର୍ଶନ ଚକ୍ରେ ପେଷିଲେ ବହନ ।

ଚକ୍ରବର ତହୁଁ ଦୁର୍ଯୋଗେ ବିନାଶି,

ପଡ଼ିଲା ଏଠାବେ ତୋହ ତୀରେ ଆସି ।

 

ଚକ୍ରତୀର୍ଥ ନାମେ ସେଦିନୁ ଏ ସ୍ଥାନ,

ଲଭିଲା ନିଖିଳ ଭୁବନେ ସମ୍ମାନ ।

ନୀଳାଦ୍ରି-କେଶରୀ ଆଜ୍ଞା ଶିରେ ଧରି,

ହନୁମାନ ଏଥି ରହିଛି ପ୍ରହରୀ ।

 

ବସିଅଛି ଜଗି ବେଳାଭୂମି ମାଡ଼ି,

ସିନ୍ଧୁକୁ ଏ ପାଖେ ଦେବ ନାହିଁ ଛାଡ଼ି ।

ଅନନ୍ତର ‘ବାଙ୍କିମୁହାଣ’ ସୁଚାରୁ,

ଲାଗିଥିଲା ଆସି ଯହିଁ ବ୍ରହ୍ମଦାରୁ;

 

ସ୍ୱପ୍ନାଦେଶ ଲଭି ଇନ୍ଦ୍ରଦ୍ୟୁମ୍ନ ନୃପ,

ନିର୍ମାଣିଲେ ତହିଁ ପରଂବ୍ରହ୍ମ ରୂପ ।

ବସିଣ ପ୍ରଭାତେ ସେ ସଙ୍ଗମ ସ୍ଥଳେ,

ନିରେଖିଲି ସିନ୍ଧୁ ଲୀଳା କୁତୂହଳେ ।

 

ତୋଳି ନୀଳସିନ୍ଧୁ ନୀଳବାହୁଶ୍ରେଣୀ,

ଆଲିଙ୍ଗି ବାଙ୍କିକୁ ଯାଉଅଛି ଘେନି ।

ବେନିଙ୍କର ସେହି ମଧୁର ଆଶ୍ଳେଷ,

ସୃଜୁଅଛି ସଦା ତରଙ୍ଗ ଅଶେଷ ।

 

ନ ପାରି ସହି ସେ ତରଙ୍ଗକତଡ଼ା,

ଭାଙ୍ଗି ପଡ଼ୁଅଛି ଭୀମ ବାଲିତଡ଼ା ।

ରୌପ୍ୟ ଆସ୍ତରଣ ମେଲି ଦେଲା ପରି,

ଯାଏ ଫେନରାଶି ବାଲି ପରେ ଚରି ।

 

ମୁହୂର୍ତ୍ତକେ କାହିଁ ଯାଏ ପାଣି ମରି,

ଶୁଷ ବେଳାଭୂମି ଅହୋ, କି ଶାମ୍ବରୀ ।

ଲୋହିତ କର୍କଟ ବେଳା ବକ୍ଷ ଛାଇ,

ବୁଲନ୍ତି ପ୍ରଖରେ ଇତସ୍ତତଃ ଧାଇଁ ।

 

ଆହା ସେ ମାଧୁରୀ କେଡ଼େ ଚମତ୍କାର,

ଉଡ଼ୁଛି କି ବାତେ ସୁରଙ୍ଗ ମନ୍ଦାର ?

ଅଥବା ଚାଲନ୍ତି ଶ୍ୱେତ ଦୂର୍ବାଦଳେ,

ଇନ୍ଦ୍ରଗୋପକୀଟପୁଞ୍ଜ କୁତୂହଳେ ।

 

ଗୁଡ଼କଙ୍କ-ପାଣ୍ଡୁ ବାଲିକୁଦେ ବସି,

ଆହ୍ୱାନଛି କାନ୍ତେ ଚକୋରପ୍ରେୟସୀ ।

ଥରେ ଥରେ ସିନ୍ଧୁ ସଙ୍ଗମେ ଗାଧୋଇ,

ଉଡ଼ି ଆସି କୂଳେ ବସୁଛି ଗାଙ୍ଗୋଇ ।

 

କଉପୀନଧାରୀ କଜ୍ଜଳ-କାଳିଆ,

ବୁଲୁଛନ୍ତି କେତେ ବେଳାରେ ନୁଳିଆ ।

ଯମ ପ୍ରାୟ ତାଙ୍କୁ ମଣି କରକଟ

ହୋଇ ଯାଉଛନ୍ତି ବିଳେ ଅପ୍ରକଟ ।

 

ସିନ୍ଧୁଗର୍ଭେ ଘନ ରହି ବନ୍ଧବତ,

ଅନନ୍ତକୁ କରିଅଛି ସୀମାବନ୍ତ ।

ରକ୍ତଚ୍ଛବି ରବି ଉଇଁଲେ ସାଗରୁ,

କୋକନଦ ଶିର ଟେକିଲା କି ସରୁଁ ।

 

ଅବା ସୁଦର୍ଶନ ଦୈତ୍ୟ ବଧ ପରେ,

ଆସୁଅଛି ଫେରି ଚକ୍ରଧର କରେ ।

ପାଟଡୋରାକାରେ ଲୋହିତ ମୟୂଖ,

ଆସିଲାକ ଲମ୍ବି ହୋଇ ଅଧୋମୁଖ ।

 

ପ୍ରତିଫଳେ ‘‘ବେଳା ପ୍ରବାଳ’’ରେ ତାହା,

ସିନ୍ଦୂରେ ସିନ୍ଦୂର ମିଶିଲା କି ଆହା !

ବୋଳି ହୋଇ ବାଳରଶ୍ମିସିନ୍ଧୁଜଳ,

ନୀଳ ପରିବର୍ତ୍ତେ ଦିଶିଲା ପାଟଳ ।

 

ଚାହୁଁ ଚାହୁଁ ପୁଣି ଚଳଚିତ୍ରବତ,

ପାଟଳ ଧୂମଳେ ହେଲା ପରିଣତ ।

ଏହିପରି ବହୁ ଶୋଭା ଆବର୍ତ୍ତନ,

କରିଦେଲା ମୋର ଚିତ୍ତେ ସମାଚ୍ଛନ୍ନ ।

 

ନିର୍ବାକେ ବାଗ୍ମୀ ସେ ପାରୁ ପଛେ କରି,

ମାତ୍ର ନେଲା ମୋର ମୁଖୁ ଭାଷା ହରି ।

ଆସିଥିଲି ହୋଇ ଅତି ପିପାସିତ,

ଜଳ ଦେଖି ହେଲା ତୃଷ୍ଣା ଅନ୍ତର୍ହିତ ।

 

ଏହି ଭାବେ ବସି ଉଦାସୀନ ପ୍ରାଣେ,

ଭାବୁଥିଲି କିସ ମୁହିଁ ତା ନ ଜାଣେ ।

ଏକାଳେ କଳ୍ପନା ଛଟକିନୀ-ଟିକା,

ବିସ୍ତାରିଲା ଅଗ୍ରେ ଅପୂର୍ବ ପଟ୍ଟିକା ।

 

ଦିଶିଲା ଅଦୂରେ ଦିବ୍ୟ ସ୍ୱର୍ଣ୍ଣତରୀ,

ଆସେ ତୀର ବେଗେ ତୀର ଲକ୍ଷ୍ୟ କରି ।

ବହୁବର୍ଣ୍ଣୀ ରତ୍ନେ ପିହିତ ତା ତନୁ,

ସୃଜିଛି ପ୍ରଭାରେ ଶତ ଇନ୍ଦ୍ରଧନୁ ।

 

ଉପବିଷ୍ଟା ତହିଁ ଯୁଗଳ ଅମରୀ,

ଜ୍ୟୋତିର୍ବାସାବୃତା ଜ୍ୟୋତିକୁଳେଶ୍ୱରୀ ।

ମଣିଚୂଡ଼ା ଶିରେ ବିସ୍ତାରିଛି ଲାସ୍ୟ,

ଖେଳୁଛି ଅଧରେ କରୁଣାର ହାସ୍ୟ ।

 

ଝରେ ମାତୃସ୍ନେହ ବେନି ଚକ୍ଷୁ ବାଟେ,

ମହିମାର ମୁଦ୍ରା ମୁଦ୍ରିତ ଲଲାଟେ ।

ଏକ କୋଳେ ଶୋଭେ ସ୍ୱର୍ଣ୍ଣବିପଞ୍ଚିକା,

ଆନେ ଅନ୍ନପୂର୍ଣ୍ଣ ସଚ୍ଛିଦ ହଣ୍ଡିକା ।

 

ମୁଠି ମୁଠି ତହୁ ଫିଙ୍ଗୁଛନ୍ତି ଅନ୍ନ,

ଭୁଞ୍ଜନ୍ତି ମୀନେ ତା ବିସ୍ତାରି ବଦନ ।

ଚିହ୍ନିଲି ତାଙ୍କୁ ସେ ପଦ୍ମାଳୟା, ବାଣୀ,

ନମିଲି ଉଦ୍ଦେଶେ ତୀରୁ ଯୋଡ଼ି ପାଣି ।

 

ଚାହୁଁ ଚାହୁଁ ଆସି ଅଳ୍ପକ୍ଷଣ ପରେ,

ଲାଗିଲା ତରଣୀ ବାଙ୍କି ମୁହାଣରେ ।

କାହୁଁ ଆସି ତହିଁ ମିଳିଲା ତୁରିତେ,

ଜରତୀ ତାପସୀ ଅତି ଅତର୍କିତେ ।

 

କଳେବରୁ ତପ୍ତ କଳଧୌତରୁଚି,

ଗୌରିକ ବସନ ଫୁଟି ବାହାରୁଛି ।

ବନ୍ଧା ହୋଇ ଶିରେ ଶୁକ୍ଳ ଜଟାଜୁଟ,

ଶୋଭେ ଯେହ୍ନେ ଚାରୁ ହୀରକ ମୁକୁଟ ।

 

ସ୍ୱୟଂ ସୃଷ୍ଟିଦେବୀ କିମ୍ବା ମହାଶକ୍ତି,

ଦୃଷ୍ଟିମାତ୍ରେ ଲୁଟେ ହୃଦୟରୁ ଭକ୍ତି ।

ଅବା ଆବିର୍ଭୂତା ମୂର୍ତ୍ତିମତୀ ଦୟା,

ଉଦାର ଗଭୀର ବଦାନ୍ୟହୃଦୟା,

 

ସହାସ୍ୟ ବଦନେ ଆସି ସେ ତଡ଼ତି,

ବେନି ଦେବୀ ପଦେ ବିହିଲା ପ୍ରଣତି ।

ଉଠାଇ ଦେବି ଏ ତାହାକୁ ସାଦରେ,

ଆଲିଙ୍ଗିଲେ ଦୃଢ଼େ ବାତ୍ସଲ୍ୟ ପ୍ରେମରେ ।

 

ପୁଚ୍ଛିଲେ ସସ୍ନେହେ ବାଣୀ କାବ୍ୟ-ଖଣି,

କୁଶଳଟିକି ଗୋ ଉତ୍କଳ-ଧରଣି !

ଉତ୍ତରିଲେ ଦେବୀ ଦୀନତା ପ୍ରୟୋଗେ,

କୁଶଳ ସିନା ମା ତୁମ୍ଭ ବେନି ଯୋଗେ ।

 

ସର୍ବ କୁଶଳର ହୋଇ ଠାକୁରାଣୀ,

ସ୍ୱଚ୍ଛା କର କିପାଁ ବହି ବକ୍ର ବାଣୀ ।

ଯଥା ଆଶୀର୍ବାଦ ଏ ସେବକୀ ପ୍ରତି,

ତଥା ସେ ମଙ୍ଗଳେ ଅଛି ଭଗବତି !

 

ତ୍ରିକାଳଜ୍ଞା ତୁମ୍ଭେ କି ଅବା ନ ଜାଣ,

ସବୁ ସିନା ଦେବୀ, ତୁମରି ଭିଆଣ ।

ଦେଇଛ ଦେଉଛ ଦେବ ଭବିଷ୍ୟତେ,

ତବ ଦାନେ ସର୍ବେ ଜୀବିତ ଜଗତେ ।

 

ସଂସାରର ମନପ୍ରାଣ ତୁମ୍ଭେ ବେନି,

ଏ ପ୍ରକୃତି ସିନା ସୃଷ୍ଟ ତୁମ୍ଭ ଘେନି ।

ଚାଲୁଛ ପାଳୁଛ ତୁମ୍ଭେ ଉଭେ ଭବେ,

ସର୍ବେ ମୃତ ତୁମ୍ଭେ କ୍ଷାନ୍ତ ହେଲେ ଲକେ ।

 

ବିରାଜେ ଏହି ଯେ ବହୁ ଦୃଶ୍ୟପଙ୍‌କ୍ତି,

ଏ ସର୍ବ ତୁମ୍ଭରି ଅଗଣିତ ଶକ୍ତି ।

ଚିତ୍ରୁଛ ସତତ ସୁଷମ-ତରଙ୍ଗ,

ତବ ତୂଳି ମୁନୁ ଶୁଖେ ନାହିଁ ରଙ୍ଗ

 

ବାହାରେ ତହିଁରୁ ପୁଣି ଏକାଧାରେ,

ସପ୍ତବର୍ଣ୍ଣ ଯାକ ବିଭିନ୍ନ ପ୍ରକାରେ ।

ନ ଲଭେ ଯାବତ ପ୍ରାପ୍ୟ ମୁଁ ସକଳ,

କାହିଁ ମା ତାବତ ସର୍ବଥା ମଙ୍ଗଳ ।

 

ଭାଷିଲେ ଭାରତୀ ବୀଣାନିନ୍ଦୀ ସ୍ୱରେ,

ଅତି କ୍ଷୁଧାର୍ତ୍ତ କି ଭୁଞ୍ଜେ ବେନି କରେ ?

ଧୈର୍ଯ୍ୟ ଧରି ବତ୍ସେ ରହ ତୁ ନିର୍ଭ୍ରମେ,

ସର୍ବ ଅଧିକାର ଲଭିବୁ ଲୋ କ୍ରମେ ।

 

ଭାଗ୍ୟ-ନଭେ ତୋର ଶୁଭ-ତାରାପଙ୍‌କ୍ତି

ଗୋଟି ଗୋଟି ହୋଇ ଫୁଟି ଉଠୁଛନ୍ତି ।

କର୍ମକ୍ଷେତ୍ର ତୋର ହେଉଅଛି କୃଷ୍ଟ,

ଦିଶୁଛି ଉଜ୍ଜ୍ୱଳ ପଶ୍ଚିମ ଅଦୃଷ୍ଟ ।

 

ପୁତ୍ରମାନେ ତୋର ତୋଳୁଛନ୍ତି ମଥା

ସୁପ୍ତି ଭଙ୍ଗେ ଶିଶୁ ମାତୃଅଙ୍କେ ଯଥା ।

କର୍ମବିମୁଖତା ବର୍ଜି ଧୀରେ ଧୀରେ,

ହେଲେଣି ପଥିକ ଉନ୍ନତି-ବୀଥିରେ ।

 

ଆତ୍ମବିସ୍ମରଣ କରି ପରିତ୍ୟାଗ

ଆଶ୍ରୁଛନ୍ତି ଆତ୍ମନିର୍ଭରତା-ଯାଗ ।

ନାହି ସେ ପୂର୍ବର କୋଣପଶା ରୀତି,

ବିଦେଶ ଗମନେ ନ ବହନ୍ତି ଭୀତି ।

 

ଉଚ୍ଚ ଶିକ୍ଷା ଆଶେ ଉତ୍ସର୍ଗି ଜୀବନ,

କଲେଣି ତୋ ସୁତେ ସିନ୍ଧୁ ଉଲ୍ଲଙ୍ଘନ

କୃଷି କଳା ପଣ୍ୟ ତିନି ବିଦ୍ୟାପ୍ରତି,

ହେଲେଣି ଆକୃଷ୍ଟ ବ୍ରତେ ଯଥା ବ୍ରତୀ ।

 

କୃଷାଣ ପଦବୀ କଳଙ୍କ ଅବଜ୍ଞା,

ବର୍ଜି ବହିଲାଣି ସାଧୁ ଶୁଭ ସଂଜ୍ଞା ।

ଘୃଣି ଯେ ପଦକୁ ତୋ ନିର୍ବୋଧ ସୁତେ

ପ୍ରାଣ ଥାଉଁ ଗଣା ହେଉଥିଲେ ମୃତେ,

 

ପୂଜ୍ୟପୂଜା ସର୍ବେ କରି ବ୍ୟତିକ୍ରମ,

ହୋଇଥିଲେ ଶ୍ରେୟ ଅର୍ଜନେ ଅକ୍ଷମ ।

ଗୌରବେ ହୀନତା ମଣି ଲଜ୍ଜା-ମଦେ,

ହରାଇଣଥିଲେ ସୌଭାଗ୍ୟ ସମ୍ପଦେ ।

 

ମଣୁଥିଲେ ଭ୍ରମେ ଉଚ୍ଚକୁ ସେ ନୀଚ,

ତୁଳୁଥିଲେ ରତ୍ନ ସହିତେ କଣୀଚି;

ସେହି ପାପ ଫଳେ ତୋ ଅଜ୍ଞ କୁମର

ହୋଇଥିଲେ ସିନା ନୀଚୁ ନୀଚତର ।

 

ମହାଜନ ନିନ୍ଦା ଅପବାଦ ବାଣୀ

ମହାଜନାସନୁ ଆଣେ ନିମ୍ନେ ଟାଣି ।

ନୀଚ ସିନା ବହେ ଅଦ୍ଭୁତ ସାହସ,

ମଧୁର ଉପରେ ଢାଳେ କଟୁରସ !

 

ନୀଚତ୍ୱ ଆବାସ ନୀଚର ହୃଦୟ,

ପୋଷିବାକୁ ତାହା ଆନ ମଣେ ଭୟ ।

ବୁଝୁଛନ୍ତି ଏବେ ନରର ମହତ୍ତ୍ୱ,

ବୁଝୁଛନ୍ତି କୃଷି ନରର ନରତ୍ୱ ।

 

ଅବା ସେ ଦେବତ୍ୱ, ନରତ୍ୱରୁ ବଳି,

ଗୁଣ ଗରିମାତା ଜ୍ଞାନେ ନୁହେଁ କଳି ।

ଅର୍ପୁଛନ୍ତି ପୂଜା ତେଣୁ ତୋ ପୟରେ,

ଘୃଣା ପରିବର୍ତ୍ତେ ଗୁରୁଭକ୍ତିଭରେ ।

 

ଶୁଣି ତୋ ନନ୍ଦନେ ରାଜାଙ୍କ ଆହ୍ୱାନ,

ପ୍ରଦର୍ଶନ୍ତି ରାଜଭକ୍ତିର ପ୍ରମାଣ ।

ରାଜଭକ୍ତି ଗୁଣେ ଜଗତେ ବଢ଼ିଆ

ଅଟନ୍ତି କେବଳ ତୋପୁତ୍ର ଓଡ଼ିଆ ।

 

ଦେବ-ପଦସେବା ଲଭି ଯଥା ଫୁଲ

ମଣେ ଭାଗ୍ୟବାନ ନିଜକୁ ଅତୁଳ ।

ରାଜସେବା ଲାଭେ ତଥା ତୋ କୁମରେ,

ମଣନ୍ତି ନିଜକୁ ଅମର ମର୍ତ୍ତ୍ୟରେ ।

 

ରାଜଭକ୍ତି-ରତ୍ନେ ଗଢ଼ା ତାଙ୍କ ପିଣ୍ଡ,

ପୂର୍ଣ୍ଣ ରାଜଭକ୍ତି-ଅମୃତେ ପିଚିଣ୍ଡ ।

ରକ୍ତରୂପେ ଦେହେ ବହେ ରାଜଭକ୍ତି,

ରାଜଭକ୍ତି ତାଙ୍କ ସଞ୍ଜୀବନୀ ଶକ୍ତି ।

 

ମଣନ୍ତି ସେ ନିଜ ପ୍ରାଣେ ରାଜତନ୍ତ୍ର,

ରାଜାଦେଶେ ପୁଣି ପୁଣ୍ୟ ମୁକ୍ତିମନ୍ତ୍ର ।

ସ୍ୱଭାବେ ସେ ଯେଣୁ ବର ବୀର ଜାତି,

ରାଜସାହାଯ୍ୟାର୍ଥେ ଫୁଲାଇଲେ ଛାତି ।

 

ଯାହାଙ୍କର ପୂର୍ବ ବଂଶଧରମାନେ,

ମଣୁଥିଲେ କ୍ରୀଡ଼ା ରଣ ଅଭିଯାନେ,

ମହାବଳ ବ୍ୟାଘ୍ରେ ନ କରନ୍ତି ଦକ,

ହସ୍ତୀକୁ ମଣନ୍ତି ମୂଷିକଶାବକ ।

 

ଥାଉ ଆନ, ଯମ ସଙ୍ଗେ ଯୁଝିବାକୁ

ନ ଗଣନ୍ତି ଭୀତି, ନ କହନ୍ତି କାକୁ ।

ବିଶ୍ଳେଷି ଦେଖିଲେ ତାଙ୍କ ପିଣ୍ଡ ପ୍ରାଣ,

ମିଳୁଥିଲା ଖାଲି ଶୌର୍ଯ୍ୟ ଉପାଦାନ ।

 

ପ୍ରତିନିଃଶ୍ୱାସରେ ଉଗ୍ରବୀର୍ଯ୍ୟ ବାୟୁ,

ବହୁଥିଲା ତାଙ୍କ ଥିବାଯାଏ ଆୟୁ ।

ଦୃଷ୍ଟିମାତ୍ରେ ଶତ୍ରୁ ଦେହୁ ଯା କୃପାଣ

ଅସ୍ପର୍ଶେ ଶୋଷୁଣଥିଲା ଅର୍ଦ୍ଧପ୍ରାଣ ।

 

ବାହୁବଳେ ଯାଙ୍କ ଅର୍ଦ୍ଧାଂଶ ଭାରତ,

ଉତ୍କଳର ହୋଇଥିଲା ପଦାନତ ।

ହୀନ ହେଲେ ସୁଦ୍ଧା ତାଙ୍କ ବଂଶଧରେ,

ନୁହଁନ୍ତି ମାତ୍ର ସେ ଊଣା ସାହସରେ ।

 

ଉତ୍‌ଫଣ ଫଣୀ ସେ ପାସୋରି ପ୍ରଭାବ,

ଭଜିଥିଲେ ସିନା ମହୀଲତା ଭାବ ।

ଦୈବେ ଲଭି ଏବେ ରାଜାଙ୍କ ଉତ୍ସାହ,

ଇଚ୍ଛନ୍ତି ସେ ଋଣ-ରସେ ଅବଗାହ ।

 

ମୃତପ୍ରାୟ ଥାଏ ବ୍ରହ୍ମପୁତ୍ର ନଦ,

ନିଦାଘେ ହରାଇ ପ୍ରତାପ-ସମ୍ପଦ,

ମାତ୍ର ଯେବେ ଲଭେ ପ୍ରାବୃଟର ଜଳ,

ତେତେବେଳେ ତାର ଅସମ୍ଭାଳ ବଳ ।

 

ଦେଖି ତୋ ସୁତଙ୍କ ସୁବୁଦ୍ଧି ଉଦୟ,

ଆମ୍ଭେ ବେନି ଭଗୀ ହୋଇଛୁ ସଦୟ ।

ଆସିଅଛୁଁ ତେଣୁ ଲଭିଣ ଉଲ୍ଲାସ,

କରିବୁଁ ଏଣିକି ତୋ ଗୃହେ ନିବାସ ।

 

ରହ ନିଶ୍ଚିନ୍ତେ, ତୋ ଖଣ୍ଡିଲା ଦୁର୍ଗତି,

ଆସନ୍ନ ଭବିଷ୍ୟେ ହେବୁ ଭାଗ୍ୟବତୀ ।

ସାଙ୍ଗ ହେବ ତୋର ଭାଗ୍ୟର ପରୀକ୍ଷା,

ସାର୍ଥକ ହେବ ତୋ ଉତ୍କଳ ଅଭିଖ୍ୟା ।

 

ବିହିଲେ କମଳା, ବାଣୀ ଦେବୀ ପ୍ରତି

ଅମୃତୁଁ ଅଧିକ ମଧୁର ଭାରତୀ,-

ସପତ୍ନୀ ବୋଲିଣ ତୋତେ ମୋତେ ଜନେ

ଦିଅନ୍ତି ଦୁର୍ଚ୍ଛନା କିପାଁ ଅକାରଣେ ।

 

ଅଜ୍ଞ ଅନ୍ଧପଣେ ବୋଲନ୍ତି ଆବର,

ନ କରେ ବୋଲି ମୁଁ ତୋ ପୁତ୍ରେ ଆଦର ।

ଅଗ୍ରଜା ତୁ ମୋର ଚିରବନ୍ଦନୀୟା,

ଏକ ଉପାଦାନେ ଗଢ଼ା ବେନି ହିଆ ।

 

ତୋ ପୁତ୍ରେ ତ ମୋର ଅଟନ୍ତି କୁମର,

ନ ବୁଝନ୍ତି ଏହା ଅଜ୍ଞାନ ପାମର ।

ନ ହୁଏ ଯେଠାବେ ତୋ ପୂଜା ଲୋ ଅପା,

ଯିବାକୁ ସେ ସ୍ଥାନେ ଭାରି ମୁହିଁ ଖପା ।

 

ଦୈବେ ଗଲେ ମାନି ନିୟତିର ଧାରା,

ହେଲେହେଁ ଅମରା ମଣେ ତାହା କାରା ।

ଉତ୍ତରିଲେ ହସି ଶ୍ୱେତପଦ୍ମାସୀନା,

ଲୋକ ଅପବାଦ ଭିତ୍ତିହୀନ ସିନା ।

 

ତହିଁକି ଭଉଣି, ନ ଭଜ ବ୍ୟଥାକୁ,

ନ କର ଲୋ ଘେନା ଏ ଛାର କଥାକୁ ।

ଭଲରୂପେ ମୁହିଁ ବିଡ଼ିଛି ତୋ ଚିତ୍ତ,

ସେ ରଟନା ଖାଲି ବିଅର୍ଥ କୁତ୍ସିତ ।

 

ତ୍ରିପୁରାରି ଦେବେ ମୂଢ଼ ଅଭାଜନ,

ବାତୁଳ ଅଖ୍ୟାତି କରନ୍ତି ଅର୍ପଣ ।

ଶମ୍ଭୁ ମହିମା କି ହାସ ସେ କଥାରେ,

ମହାଯୋଗୀ ଜ୍ଞାନେ ପୁଜ୍ୟ ସେ ସଂସାରେ ।

 

ଦେବର୍ଷି ନାରଦ, ଋଷିକୁଳଚୂଡ଼ା

ବୋଲନ୍ତି ତାହାଙ୍କୁ ଖଳେ କଳିହୁଡ଼ା ।

ଊଣା ନୁହେଁ ତହିଁ ତାଙ୍କ ଖ୍ୟାତିବିଭା,

ଅମର ସଂପୁଜ୍ୟ ଯାଙ୍କ ସୁପ୍ରତିଭା ।

 

ଭାଷିଲେ ଏ ଅନ୍ତେ ଉତ୍କଳ ସୁମତି

କୃତଜ୍ଞତାବ୍ୟଞ୍ଜୀ ବିନୟ ଭାରତୀ,-

ଶୁଣି ମୋ ଭାଗ୍ୟର ଭବିଷ୍ୟପଞ୍ଜିକା

କୃତାର୍ଥ ଦେବି ଗୋ, ହେଲା ଏ ସେବିକା ।

 

ଦୂରରେ ଥିଲେ ହେ ସାଫଲ୍ୟ ମହତ;

ମଣିଲିଣି ମୁହିଁ ତାହା କରଗତ ।

ସାଫଲ୍ୟୁ ଅଧିକ ତବ ଆଶୀର୍ବାଣୀ,

ପ୍ରାପ୍ତ୍ୟାଶା ସହିତେ ଭେଟାଇ ଦେଲାଣି ।

 

ଢାଙ୍କିଦିଏ ପ୍ରାପ୍ତି ସୁଖ ପ୍ରିୟମୁଖ,

ପ୍ରାପ୍ତ୍ୟାଶାରେ କ୍ରମେ ବୃଦ୍ଧି ଲଭେ ସୁଖ ।

ଅନନ୍ତର ସର୍ବେ ଗଲେକ ମିଳାଇ,

ଛାୟାବାଜି ପ୍ରାୟେ କେଉଁଆଡ଼େ କାହିଁ ,

 

ମିଳାଏ ଯେସନ ଅନମ୍ବରୋଦରେ,

ଶ୍ରବଣା ତ୍ରିତାରା ପ୍ରାତେ ସୌରକରେ ।

ଅଥବା ତ୍ରିଶାଖୀ ବିଜୁଳି ସରୁଚି

ଅଲକ୍ଷିତେ ଯାଏ ଘନକୋଳେ ଲୁଚି ।

 

ଅଦୃଷ୍ଟପୂର୍ବ ଏ ଅଶ୍ରୁତ ଘଟଣା,

କରିଦେଲା ମୋତେ କ୍ଷଣେ ଛନ୍ନମନା ।

ସତ୍ୟ କି ସ୍ୱପନ ନ ପାରିଲି ବାରି,

କି ଅଜ୍ଞାତ ନିଶା ଦେଲା ହୃଦ ଘାରି ।

 

ମୁହୂର୍ତ୍ତକ ପରେ ସିନ୍ଧୁ କୋଳାହଳ

ଭାଙ୍ଗିଦେଲା ମୋର ସେ ଉଗ୍ର ଅମଳ ।

ସମ୍ମୁଖେ ବିସ୍ତୃତ ସିନ୍ଧୁ ପୂର୍ବପରି,

ପୂର୍ବପରି ନାଚେ ଫେନିଳ ଲହରୀ,

ନାହିଁ ସେ ସ୍ଥାନର ସ୍ୱର୍ଗୀୟ ସୁଷମା,

ଦଣ୍ଡକ ପୂର୍ବେ ଯେ ଥିଲା ନିରୁପମା ।

 

ଚତୁର୍ଥ ସର୍ଗ

 

ଅଦୂର ସ୍ମରତେ ରାଜେ ସ୍ୱର୍ଗଦ୍ୱାର,

ଗାଉଛି ପୁରାଣ ମହିମା ଯାହାର ।

ଅମର ଅମରୀ ଏ ପଥେ ଓହ୍ଲାଇ

ଆସନ୍ତି ବିଶ୍ୱେଶ ସନ୍ଦର୍ଶନ ପାଇଁ ।

ଓହ୍ଳାଇ ଏ ପଥେ ବିଧି ବ୍ରହ୍ମବାଦୀ,

ସିନ୍ଧୁନୀରେ ସ୍ନାନତର୍ପଣ ସମ୍ପାଦି,

କଲେ ଯାଇ ‘‘ବଡ଼ଦେଉଳ’’ ପ୍ରତିଷ୍ଠା,

ଘେନି ଇନ୍ଦ୍ରଦ୍ୟୁମ୍ନ ନତି ଭକ୍ତି ନିଷ୍ଠା ।

ସେକାଳ ଉତ୍ସବ ହୋଇ ବପୁଷ୍ମାନ,

କରିଥିଲା କୋଟି କଣ୍ଠେ ଭାଷା ଦାନ ।

ଉଭା ହୋଇ ତୀରେ ଅଟ୍ଟାଳିକାପନ୍ତି,

ସିନ୍ଧୁଜଳେ ପ୍ରତିବିମ୍ବ ଦେଖୁଛନ୍ତି ।

ଯାତ୍ରୀ କୋଳାହଳେ ସ୍ଥାନ ପରିହରି,

ନିବସେ କି ଏଥି ଶ୍ରୀକ୍ଷେତ୍ର ନଗରୀ ?

ଶୁଣି ଶୁଣି ସଦା ପ୍ରାକୃତ ବଚନ,

ହୋଇ ଯାଇଛି ତା ବଧିର ଶ୍ରବଣ ।

 

ଶୁଣି ସମୁଦ୍ରର ମହାବେଦଗାନ,

ଲଭିବ ବାଧିର୍ଯ୍ୟ ରୋଗୁ ପରିତ୍ରାଣ ।

କରୁଛନ୍ତି ସ୍ନାନ ଶତ ଶତ ଯାତ୍ରୀ,

ଚିହ୍ନାଉଛି ବିପ୍ରେ କୁଶ ତାମ୍ରପାତ୍ରୀ ।

 

ଯାତ୍ରୀଙ୍କ ସହିତ ନାଟୁଆ ତରଙ୍ଗ

ଦେଇଛି ଲଗାଇ ନୃତ୍ୟ ଖେଳରଙ୍ଗ ।

ଦେଖୁ ଦେଖୁ ବୀଚି ଖରେ ଆସି ମାଡ଼ି

ସ୍ନାତାଗଣେ ଦିଏ ବେତାରେ କଚାଡ଼ି ।

 

ବଳେ ଉଠି ଠିଆ ହେଲେ ବାରମ୍ବାର,

ସେ ଦୁର୍ଗତି କରୁ ନାହିଁଟି ନିସ୍ତାର ।

ଫେରି ପ୍ରତିବୀଚି ପାଦତଳୁ ବାଲି,

କୋରି, ପରାଭବି, ଯାଏ ଖରେ ଚାଲି ।

 

ରତ ଛନ୍ତି ଭକ୍ତେ ଜପେ ସ୍ତବେ ଧ୍ୟାନେ,

କେହି ବା ନିଯୁକ୍ତ ପିତୃପିଣ୍ଡଦାନେ ।

ଜଳସିନ୍ଧୁରବେ ଜନସିନ୍ଧୁରବ

ମିଶି ହୋଇଅଛି ବିକଟ ଭୈରବ ।

 

ଦେଖୁଛ କି ଯାତ୍ରୀ, ଏହି ମହାସିନ୍ଧୁ,

ଭବସିନ୍ଧୁ ଗର୍ଭେ ଯଥା କୁଶବିନ୍ଦୁ

ଏହା ତହୁଁ ବଳିଅଛି ହେ ପ୍ରବଳ,

ଫୁଟୁଅଛି ସଦା ସେ ସିନ୍ଧୁର ଜଳ ।

 

କେତେ ରୂପ ସେହୁ ଧରେ ନିଜ ଛାଏଁ,

ତରଳ ଅନଳ ପ୍ରାୟ ବୀଚି ଧାଏ ।

ଏଭଳି ପଣ୍ଡାଏ ନାହାନ୍ତି ସେ ସ୍ଥାନେ,

ପାରି କରି ଦେବେ ଆଶୀର୍ବାଦ-ଯାନେ ।

 

ଭାବୁଛଟି ଚିତ୍ତେ ସେ ସିନ୍ଧୁର କଥା,

ଭାବୁଛ ଟିକି ହେ ଶେଷଦିନ ବ୍ୟଥା ।

ଏହି ଆଶୀର୍ବାଦ ଜୀବନ୍ମୁକ୍ତି ଫଳ

ରହିବ ପଡ଼ି ଏ ସୈକତେ କେବଳ

 

ସେ ଦେଶକୁ ଏହା ଆସେ ନାହିଁ ଲୋଡ଼ା,

ମାଟି ସେ, ମାଟିରେ ଥିବ ହୋଇ ଘୋଡ଼ା ।

ଶେଷଦିନ ବଡ଼ ଅନ୍ଧାର ଭୀଷଣ,

ଭୁଞ୍ଜାଏ ସେ ସାରା ଜନ୍ମର ଅର୍ଜନ ।

 

ଜୀବନସଞ୍ଚିତ ସତ୍କର୍ମ ଆଲୋକ

ସେ ଦିନର ପଥ କରାଏ ବିଲୋକ ।

ହୋଇବ ଆରମ୍ଭ ଯେଉଁ ଦିନ ହାୟ,

ଜୀବନର ମହାପ୍ରୟାଣ ଅଧ୍ୟାୟ ।

 

ଗମିବ ସେଦିନ ନିଳୟୁ ସତ୍ୱରେ,

ମହାପ୍ରାସ୍ଥାନିକ ତୀର୍ଥ ଉଦ୍ଦେଶ୍ୟରେ ।

ଯିବ ସେହି ସିନ୍ଧୁ ସମ୍ମୁଖେ ହାବୋଡ଼ି,

ଦେବ ମୁହୂର୍ତ୍ତକେ ବୃଦ୍ଧିବୃତ୍ତି ପୋଡ଼ି ।

 

କରିଦେବ ପୁଣି ଆଚମ୍ବିତେ ଭେକା,

ନିରୁପାୟେ ପାନ୍ଥ ଠିଆ ହେବ ଏକା ।

କରିଥିଲେ କେହି ସତ୍କର୍ମ ସମ୍ପନ୍ନ,

କରିଥିଲେ ତହି ଅଙ୍ଗ ଅବସନ୍ନ,

 

ତରୀରୂପେ ଆସି ସେ ସୁକୃତି ତାର,

କରିବ ପାରି ସେ ରୁଦ୍ର ପାରାବାର ।

ସେ ସିନ୍ଧୁ ଭାବନା ଏ ସିନ୍ଧୁଦର୍ଶନେ

କର କର ଯାତ୍ରୀ, ଥରେ ହେଲେ ମନେ ।

 

ଚିତ୍ର ଶୁକ୍ତିକାରେ ‘‘ସମୁଦ୍ର ଜିହ୍ୱାରେ’’

ବେଳାଭୂମି ଯକ୍ଷଶାଳାକୁ ଧିକ୍କାରେ ।

ପଡ଼ିଛି କି ବୁଣି ବହୁବିଧ ନିଧି,

ରତ୍ନଧି ଉପାଧି ସାର୍ଥକିଛି ବିଧି ।

 

ଟିପାକାଠି ପରେଜାଲ ବାହି ବାହି

ଆସୁଛି ନୁଳିଆ ଗ୍ରାମ୍ୟଗୀତ ଗାଇ ।

ଟିପାକାଠି ଖଣ୍ଡି ଆରୋହୀ ସହିତ

ବୁଡ଼ି ଉଠି କୂଳେ ଧାଇଁଛି ତ୍ୱରିତ ।

 

ତୀରେ ଥାଇ ତାକୁ ଦେଖାନ୍ତି ସୁବାଟ,

ମାରି ତା ଆତ୍ମୀୟେ ସଙ୍କେତ କୁହାଟ ।

ଜୀବହତ୍ୟା ପ୍ରତି ନାହିଁ ତିଳେ ବ୍ୟଥା,

ସମୟ ହତ୍ୟାରେ ନିଷ୍କର୍ମାର ଯଥା ।

 

ବସିଲା ଦଣ୍ଡକେ ମତ୍ସ୍ୟକାଣ୍ଡିମାନ,

ଆଶ୍ଚର୍ଯ୍ୟ ସେ, ଉଭା ମୀନ-ସାନୁମାନ ?

ଦଳ ଦଳ ହୋଇ ଉପବ୍ୟବସାୟୀ

ଆସୁଛନ୍ତି ଖରେ ହୋଇ ତ୍ରୟାଶାୟୀ ।

 

ଦିବସ-ତସ୍କର ବେନି ଚିଲ ଆଦି

ଲୋଟିଲେ ଆକାଶୁ ଝାମ୍ପି ମତ୍ସ୍ୟଗାଦି ।

ଶଙ୍ଖଚିଲ ମାଛ ଘେନିଯିବା ଦେଖି,

ଧାଇଁଲା ମାଟିଆ ବିଶ୍ରାମ ଉପେକ୍ଷି ।

 

ନଭେ ବେନିଙ୍କର ହେଲା ଖଣ୍ଡଯୁଦ୍ଧ,

ଚିତ୍କାରିଲେ ଦୁହେଁ ହୋଇ ବଡ଼ କ୍ରୁଦ୍ଧ ।

ମିଶି ତହିଁ କ୍ରେତା ବିକ୍ରେତା ଆରବ

ସୃଜିଲା ନବୀନ ଶବ୍ଦ-ମହାର୍ଣ୍ଣବ ।

 

କର୍କଟକ-ରଙ୍କ ନୁଳିଆ ବାଳକେ

ଖେଳୁଛନ୍ତି ବେଳାଭୂମିରେ ପୁଲକେ ।

ବିଳଶାୟୀ ଯୋଗୀ କରକଟଦଳେ

ଧରୁଛନ୍ତି ତହିଁ ବିବିଧ କୌଶଳେ ।

 

ବଡ଼ଶୀରେ କେହି ମତ୍ସ୍ୟ ପାଞ୍ଚ ସାତ

ଓଟାରି ଅରକେ କରେ ଆତ୍ମସାତ ।

କରୁଛନ୍ତି ବାଳେ ସନ୍ତରଣ ଶିକ୍ଷା,

ଭାବୀ ଜୀବନର ଜୀବନ୍ତ ଜୀବିକା ।

 

ଚିର ଜନ୍ମଭୂମି ଏ ବେଳା ତାଙ୍କର,

ମାତ୍ର କର୍ମଭୂମି ଅନନ୍ତ ସାଗର ।

ଜଳେ ବୁଡ଼ି ମୁଦ୍ରା କରନ୍ତି ସଂଗ୍ରହ,

ବୁଡ଼ୁଥାନ୍ତି ସିନ୍ଧୁଜଳେ ଅହରହ ।

 

ଜଳମାନବ ଏ କିମ୍ବା ସିନ୍ଧୁ-ସୁତ,

କାହାର ନତୁ ଏ କରଣୀ ଅଦ୍ଭୁତ ।

ତାହାଙ୍କର ସିନ୍ଧୁ, ସିନ୍ଧୁର ସେମାନେ,

ପୂଜନ୍ତି ତାହାକୁ ସଦା ଦେହେ ପ୍ରାଣେ ।

 

ଜୀବନ ଅଦୃଷ୍ଟ ଶରୀର ତାଙ୍କର

ଗଢ଼ୁଛି ବିନ୍ଧାଣିରୂପେ ରତ୍ନାକର ।

ଶିକ୍ଷା ସେ ଜାତିର ସାବତ ଜନନୀ,

ମାତ୍ର ଶିକ୍ଷାଦାନେ ନୁହନ୍ତି ଅଧନୀ ।

 

ସୁକଠୋର ଶ୍ରମେ ଅଧ୍ୟବସାୟରେ,

ଅସୀମ ସାହସେ ନବ ଉପାୟରେ,

ଅନେକଙ୍କୁ ଶିକ୍ଷା ଦେବେ ସମୁଚିତ,

ଏ ବିଦ୍ୟା ତାଙ୍କର ଅଗୁରୁଦୀକ୍ଷିତ ।

 

ବେଳା ଖୋଲ ଗର୍ଭେ ଶ୍ରୀ ଶଙ୍କର ମଠ

ରଖିଛି ନିଜକୁ କରି ଅପ୍ରକଟ ।

ମହାଜନେ ବଡ ଅପ୍ରକଟପ୍ରିୟ,

ନାମ ପରି କାମ ପ୍ରକାଶେ ନିଷ୍କ୍ରିୟ ।

 

ତେବେ ଆତ୍ମସତ୍ତା କରେ ସେ ପ୍ରକାଶ,

ଫୁଟିଲେ ଫୁଲ କେ ଢାଙ୍କିବ ସୁବାସ ?

ମଠର ଗଠନ ରୁଚିର ମଧୁର,

ରସାତଳେ ଯଥା ବୈରୋଚନିପୁର ।

 

ମଧ୍ୟେ ବିରାଜିତ ଶଙ୍କର ଶ୍ରୀମୂର୍ତ୍ତି,

ମୂର୍ତ୍ତିରୁ ଆଭାସି ଉଠୁଅଛି ସ୍ଫୁର୍ତ୍ତି ।

ଧର୍ମପ୍ରଚାରର ତୀବ୍ର ଜ୍ୟୋତୀରାଶି

ଦକ୍ଷନେତ୍ରେ ଅଛି ମହିମା ପ୍ରକାଶି ।

 

ଦକ୍ଷେତରୁ ଆର୍ଯ୍ୟ-ଧର୍ମସଂସ୍କାରର

ସ୍ନିଗ୍ଧ ଜ୍ୟୋତିର୍ଝର ଝରେ ନିରନ୍ତର ।

ଯୁକ୍ତି ତର୍କ ଯେହ୍ନେ ରହିଛି ଅଧରେ

କରୁଣାର ହାସ୍ୟ-ରେଖା ସହିତରେ ।

 

ସପତଲହରୀ ମଠ ତହିଁ ପାଶେ,

ଚାହିଁଛି ସତ୍ରାସେ ସମୁଦ୍ର ଉଚ୍ଛ୍ୱାସେ ।

ବହିଛି ବହୁତ ପୁଣ୍ୟ ପୂରାସ୍ମୃତି-

ସହ ଭକ୍ତକବି ଜଗନ୍ନାଥ ମୂର୍ତ୍ତି ।

 

ହୋଇ ଭାଗବତରଚନା ତନ୍ମୟ

ଦୁର୍ଲ୍ଲଭ ଜୀବନ କଲେ ଏଥି କ୍ଷୟ ।

ବୀଣାଖଣ୍ଡି ତାଙ୍କ ସ୍ନିଗ୍ଧ ମଧୁନାଦୀ,

ପ୍ରତିଗୃହେ ପୂଜା ପାଏ ଗ୍ରନ୍ଥଗାଦି ।

 

ସ୍ମୃତି-ଦେଉଳ ସେ ଭକ୍ତ କବିଙ୍କର,

ରଖିଛି ଉତ୍କଳେ ଧର୍ମେ ସେ ଅମର ।

ଅହୋ କି କରୁଣ ରୂପବତୀ ସ୍ମୃତି,

ଉଭା ଅଗ୍ରେ ଧରି କରୁଣ ଆକୃତି ।

 

ଜୈମିନି ତୀର୍ଥ ସେ ଭୁବନବିଦିତ,

ତେବେ ତୀର୍ଥ, କିନ୍ତୁ ଏବେ ମହାତୀର୍ଥ ।

ତୋଟା ଗୋପୀନାଥ ଶ୍ରୀଅଙ୍ଗେ ମିଶିଣ,

ଶ୍ରୀ ଚୈତନ୍ୟ ଏଥି ହୋଇଥିଲେ ଲୀନ ।

 

ମାତ୍ର ତାଙ୍କ ସୃଷ୍ଟ ସଂକୀର୍ତ୍ତନ ଗୀତ

କରେ ତାଙ୍କ ପୀଠେ ନିତ୍ୟ ମୁଖରିତ ।

ଧର୍ମରାଜ୍ୟେ ସେହୁ ଧର୍ମର ଅଧିପ,

ଜାଳିଗଲେ ଚିର ଅନିର୍ବାଣ ଦୀପ ।

 

ଯେଉଁ ଜ୍ଞାନଗଙ୍ଗା ଦେଲେ ସେ ବହାଇ,

ହ୍ରାସତା ତାହାର କାଳେ କାଳେ ନାହିଁ ।

ବସନ୍ତି ଲଙ୍କାମ୍ରକୁଞ୍ଜେ ବାଲିସ୍ତୂପେ

ପ୍ରଭୁ ଲୋକନାଥ କ୍ଷେତ୍ରପାଳରୂପେ ।

 

ଜଗନ୍ନାଥଙ୍କର ଶ୍ରେଷ୍ଠ ବ୍ୟବହାରୀ,

ସତତ ପ୍ରଚ୍ଛନ୍ନେ ଶ୍ରୀକ୍ଷେତ୍ରବିହାରୀ ।

ପ୍ରତ୍ୟହ ପ୍ରଭୁଙ୍କ ଶ୍ରୀଛାମୁକୁ ଯାଇ

ଆସନ୍ତି ତାବତ ହିସାବ ବୁଝାଇ ।

 

ହରଚଣ୍ଡୀ ପଦ ପ୍ରକ୍ଷାଳି ମଙ୍ଗଳା

ସାଗର ସଙ୍ଗମେ ଧାଇଁଛି ସୂଜଳା ।

ଦିଶୁଛି ଅଦୂରେ ଚିଲିକା ମୁହାଣ,

ପୋତବାହୀଙ୍କର ଥରେ ଯହିଁ ପ୍ରାଣ ।

 

ଦୁଇ ଦିଗୁ ବୀଚି ଧାଇଁ ଗଜଗାଜି

ଆଘାତେ ସଙ୍ଘାତେ ଖେଳେ ଓଲ୍‌ଟବାଜି ।

କିମ୍ବା ବେନି ମଲ୍ଲ ରୋଷେ ଦେଇ ଧାଡ଼ି

ପରସ୍ପର ସ୍ପର୍ଶେ ପଡ଼ନ୍ତି କଚାଡ଼ି ।

 

ଦୂରେ ଠୁଜ ଯାଇ ସାଗର ପୀୟୂଷ,

ଧରିଛି କି ସିନ୍ଧୁ ସଲିଳ ଗଣ୍ଡୂଷ ।

ଅର୍ପିବ କାହାକୁ କେଉଁ ମହାଦାନ,

କି ଉଦ୍ଦେଶ୍ୟ, ତାହା କି ଜାଣିବ ଆନ ।

 

ବିରାଟ ବିପୁଳ ଏହି ଯେ ଚିଲିକା,

ଉତ୍କଳୀୟେ ଏହା ଗୁଣ-ଧନେ ବିକା ।

ଏହା ଶଙ୍ଖ ଏହା ଶାମୁକା ପ୍ରଭୃତି

ଦୁଲ୍ଲଭ ରତ୍ନର ସିନା ଉପାକୃତି ।

 

ଆସୁଛି ଦିନ ଏ କରିବ ନିଶ୍ଚୟ

ଉତ୍କଳେ ସୁବର୍ଣ୍ଣରୌପ୍ୟଗୃହମୟ ।

ଉତ୍କଳର ଏହା ଚିରପୋତାଶ୍ରୟ,

ଗର୍ଭଦେଶ ବହୁ ଜୀବ ରତ୍ନାଳୟ ।

 

ନିତ୍ୟ ସ୍ତୂପ ସ୍ତୂପ ଯୋଗାଇ ଲବଣ

କରୁଅଛି ଊଣା ଦରିଦ୍ର କଷଣ ।

କି ଆଶ୍ଚର୍ଯ୍ୟ ଅହୋ, ଉତ୍କଳ ଗର୍ଭରେ

କେତେ ଗନ୍ତାଘର ରହି ସ୍ତରେ ସ୍ତରେ

 

ତେବେ ନ ଘୁଞ୍ଚିଲା ତା ଦୁଃଖ ଦୁର୍ଦ୍ଦଶା,

ଏହା ସିନା ଘୋର ବିଷମ ସମସ୍ୟା !

ଚିହ୍ନିବା ଦୋଷ କି କାରଣ ଏଥିର,

ଭାବନାରେ କିଛି ହେଉ ନାହିଁ ସ୍ଥିର ।

 

ଧାଇଁଛି ଅଭାବ, ସେ ଏକା ଭାଜନ

କରିବାକୁ ଏହି ତତ୍ତ୍ୱ ଉଦ୍ଘାଟନ

ବିଦିତ ତା ପାଶେ ମାଣିକପାଟଣା,

ରଟୁଛି ନୀରବେ ଅତୀତ ଘଟନା ।

 

ଉତ୍କଳ ନୁପେନ୍ଦ୍ର କାଞ୍ଚି ଅଭିଯାନେ

ନୀଳାଦ୍ରି କେଶରୀ ଏହି ପୁଣ୍ୟ ସ୍ଥାନେ

ଭୁଞ୍ଜିଥିଲେ ଦଧି ସର ନବନୀତ,

ଗୋପିକା ମାଣିକା ସୁପରିବେଷିତ ।

 

ସେହିଦିନୁ ଖ୍ୟାତ ମାଣିକପାଟଣା,

ସେହି ଦିନୁ ହେଲା ବଡ଼ପଣେ ଗଣା ।

ପୁଣ୍ୟ ଋଷିକୂଲ୍ୟା ଋଷିକୁଳସ୍ତୂତା,

ଧରା ସ୍ତନ୍ୟଧାରା ଚାରୁ ଧୀରନୃତ୍ୟା,

 

ଲୋଟେ ସିନ୍ଧୁପଦେ ହୋଇ ହେଠମୁଖୀ,

ଦେବ ପଦେ ଅଧ୍ୟା ପଡ଼ିଛି କି ଦୁଃଖୀ !

ଜରାଜୀର୍ଣ୍ଣ ଦୁର୍ଗ ଉଭା ରହି ପାଶେ

ଭବଭଙ୍ଗୁରତା ନୀରବେ ପ୍ରକାଶେ ।

 

ପୁରାଣେ ପ୍ରଧାନ ତୀର୍ଥ ଅଧ୍ୟାୟରେ,

ଅଙ୍କିତ ଏ ତୀର୍ଥ ନାମ ସ୍ୱର୍ଣ୍ଣାକ୍ଷରେ ।

ଜାଣି ବା ନ ଜାଣି କଲେ ଏଥି ସ୍ନାନ,

ମିଳେ ସ୍ୱାସ୍ଥ୍ୟ, ଶାନ୍ତି, ପୁଣ୍ୟ, ଜ୍ଞାନ ।

 

ଗଙ୍ଗାସାଗର ଏ ଉତ୍କଳମଣ୍ଡଳେ,

ସିଦ୍ଧ ଯୋଗୀକୁଳ ଇଚ୍ଛନ୍ତି ଏ ଜଳେ ।

ଏହିଠାରୁ ବଳିପୁତ୍ର ସଂସ୍ଥାପିତ

କଳିଙ୍ଗମଣ୍ଡଳ ଯାମ୍ୟେ ବିଲମ୍ବିତ ।

 

‘‘କଳିଙ୍ଗ ସାହସୀ’’ ଏ ଖ୍ୟାତି-ପଦକ

କାଳେ କାଳେ ଯାର ବକ୍ଷେ ଜକଜକ ।

ବାଳୁତ ‘‘ଗୋପାଳପୁର’’ ପୋତାଶ୍ରୟ,

ସୋରଳା, ଯା ବକ୍ଷ ଲୁଣସ୍ତୂପମୟ,

 

ବାହୁଦାସଙ୍ଗମ ତଦନ୍ତେ ଉଦ୍ୟାନ,

ବିରାଟ ବାରିଧି ଦାଢ଼େ ବିଦ୍ୟମାନ ।

ଉଦ୍ୟାନର କିବା ସୁଷମା ମହିମା,

ଝରି ପଡ଼ୁଅଛି ଅନନ୍ତ ନୀଳିମା ।

 

ପନସ ଲାଙ୍ଗଳୀ ରମ୍ଭା ସହକାର,

ଦାନର ସାମଗ୍ରୀ ନିତ୍ୟ ଏ ତାହାର ।

ରେ ଉଦ୍ୟାନ ତୋର ବସନ୍ତମାଧୁରୀ

ହେରି ମହାନନ୍ଦେ ଉଠେ ହୃଦ ପୂରି

 

କାହିଁ ବା ମହୁଲ- ଦ୍ରୁମ ବହି ସ୍ନେହୁ,

ସୁପାଟଳ-ପାଟେ ଆବରିଛି ଦେହୁ ।

ବସନ୍ତର କି ସେ ନବ ଅନୁରାଗ,

ଲଭି ତୋର ସ୍ନିଗ୍ଧଶୀତଳ ସୁଆଗ,

 

ବସି ଯାଇଅଛି ହୋଇଣ ବହଳ,

ସୌର କର ସ୍ପର୍ଶେ ଦିଶେ ଢଳଢଳ ।

କିମ୍ବା ତୁ ବସନ୍ତ ଦୁହା ଛତ୍ରେ ଛତ୍ରେ

ଲେଖିଛୁ ଅଳତା ଜଳେ ଭୂର୍ଜପତ୍ରେ ।

 

ଫଳ ଛଳେ ଶିରେ ଖୋଷିଛି ତମାଳ,

ତୈଲଙ୍ଗୀୟ ବକ୍ର ଖୋଷା ମାଳ ମାଳ,

ନାରିକେଳ ଯଥା କୁମ୍ଭାର କୁଟୁମ୍ବ,

ମୁଣ୍ଡାଇଛି ବହୁ ମାରକତୀ କୁମ୍ଭ ।

 

ସ୍ୱର୍ଣ୍ଣବର୍ଣ୍ଣ ପକ୍ୱ ଫଳ କାନ୍ଦି ଧରି

ଉଭା କେତେ ରମ୍ଭା ଉଦ୍ୟାନ-ଅପ୍ସରୀ ।

ମୂଳେ କ୍ଷୁଦ୍ର କ୍ଷୁଦ୍ର ପୁଆ ଶୋଭାପାଏ,

ବେଢ଼ିଛନ୍ତି ପରା ମାତାକୁ କନ୍ୟାଏ ।

 

ଫେଇଣ ଶାଳ୍ମଳୀ ଅଙ୍ଗୁ ଆଭରଣ,

ଗୋଟି ଗୋଟି କରେ ଆନେ ସମର୍ପଣ ।

ମାତ୍ର ତହିଁ ଶୋଭା ନୋହେ ଅପରର,

ଯାହା ଅଳଙ୍କାର ତାହାକୁ ସୁନ୍ଦର ।

 

ପରଗୁଣେ ଲାଭ କାହିଁକି ପ୍ରଶଂସା,

କେବଳ ସୁଲଭ ତହିଁ ଲୋକହସା ।

ସ୍ୱଭାବେ ତୁ ଚିର ବସନ୍ତନିଳୟ,

ଦୁଯେ ମିଳେ ଯେବେ ବସନ୍ତ ସମୟ,

 

ମାଧୁରୀ ଉପରେ ବରଷେ ମାଧୁରୀ,

ଭାବୁକ କଳ୍ପନା ହେଳେ ନିଏ ଜୂରି ।

ନବ ସୁଧାସ୍ରୋତେ ମିଶେ ନବ ସୁଧା,

ଖଣ୍ଡେ ସେ ଦର୍ଶକ ଦିଦୃକ୍ଷାର କ୍ଷୁଧା ।

 

ବହୁ ପକ୍ୱ ଫଳ ଫୁଲର ଆମୋଦ

ବହି ସମୀରଣ ବିତରେ ବିନୋଦ ।

ସ୍ୱର୍ଗୀୟ ସମ୍ପତ୍ତି ପାର୍ଥିବ ସମ୍ପତ୍ତି-

ସନ୍ଧିସ୍ଥଳେ ସଦା ତୋହର ବସତି ।

 

ସ୍ୱର୍ଗେ ତୁ ଦୁର୍ଲ୍ଲଭ, ମର୍ତ୍ତ୍ୟେ ନିରୁପମ,

ଉତ୍ତମ ମଧ୍ୟେ ତୁ ମହୋଳ ଉତ୍ତମ ।

ମହେନ୍ଦ୍ରୁ ବାହାରି ମହେନ୍ଦ୍ର-ତନୟା

ସିନ୍ଧୁ ପୟେ ପୟ ମିଶାଏ ସୁପୟା ।

 

ବନ୍ଦର ବାରୁଆଁ ଅଣ-ପୁରାତନ,

ପୋତ ଶ୍ୱାସ-ଧୂମେ ଯା ଶିର ଆଚ୍ଛନ୍ନ ।

ବହୁଛି ଦକ୍ଷିଣେ ବଂଶଧାରା ନଦୀ ,

କଳିଙ୍ଗ-ତ୍ରିଦିବେ ପୂତ ବିଷ୍ଣୁପଦୀ ।

 

ନବ ସ୍ୱାସ୍ଥ୍ୟାବାସ ଉଆଲତିଅର,

ଛବି ପ୍ରାୟ ଦିଶେ ଦୂରକୁ ସୁନ୍ଦର ।

ଏ ଅନ୍ତେ ବିଶାଖାପାଟଣା କଟକ,

ସୀମାଚଳ ଯାର ମହିମାବର୍ଦ୍ଧକ ।

 

ଶ୍ରୀ ମୁକୁନ୍ଦ ଦେବ ଉତ୍କଳ-ସମ୍ରାଟ

ତୋଳିଲେ ଯା ଶୃଙ୍ଗେ ଦେଉଳ ବିରାଟ ।

ଚାରୁ ଶିଙ୍ଗ ପେଡ଼ି ତାରକସି କାମ-

ଯୋଗୁଁ ସଦା ଟେକ ଏ ପାଟଣା ନାମ ।

 

ପାଶେ ତାର ‘‘ରାଜ-ମହେନ୍ଦ୍ରୀ’’ ରାଜିତ,

ଯେ ବିଦ୍ୟାନଗରୀ ନାମେ ସୁଚିହ୍ନିତ ।

ସ୍ୱଦେଶୀ ବାଣିଜ୍ୟ ସୁପ୍ରସିଦ୍ଧ କେନ୍ଦ୍ର,

ତୋଳାଇଲେ ଦୁର୍ଗ ତହିଁ କପିଳେନ୍ଦ୍ର ।

 

ଜରୀ କାରୁଯୁକ୍ତ ଚାରୁ ପଟ୍ଟବାସ,

କରୁଛି ତା ଯଶ ସର୍ବତ୍ର ପ୍ରକାଶ ।

କେଡ଼େ ଶୋଭା ଧରେ ଅଗ୍ରେ ଗୋଦାବରୀ,

ଲମ୍ବିତ ଗୋଛାଏ ଯଥା ରୁପାଜରି ।

 

ପୁତ ସ୍ୱଚ୍ଛଜଳା ଜାହ୍ନବୀ ପରାଏ,

ତୀର୍ଥେଶ୍ୱରୀ ରୂପେ ନିତ୍ୟ ପୂଜା ପାଏ ।

ସୁନ୍ଦର, ଯେସନ ସୁନ୍ଦର ବିଗ୍ରହ,

ଭୀଷଣ, ଯେସନ ଦୁଷ୍ଟ ଅନୁଗ୍ରହ ।

 

ଥିଲା କାଳେ ଏହି ନଦୀ-ମୌଳିଟିକ ।

ଉତ୍କଳର ଯାମ୍ୟ ନିସର୍ଗ ପରିଖା ।

ଉତ୍କଳର ଜୈତ୍ରକେତୁ ଏହା ବକ୍ଷେ

ପ୍ରତିବିମ୍ବୁ ଥିଲା ପୂର୍ବେ ଲକ୍ଷେ ଲକ୍ଷେ ।

 

ଏହାରି ପୁଳିନେ ପଞ୍ଚବଟୀ ବନ,

ହରିନେଲା ଯହିଁ ସୀତାଙ୍କୁ ରାବଣ ।

କାନ୍ଦିଲେ କୁରଙ୍ଗେ ଅତ୍ୟନ୍ତ ବିକଳେ ,

କାନ୍ଦିଲେ ଆତୁରେ ବିହଙ୍ଗମଦଳେ ।

 

କାନ୍ଦିଲେ ଆବର ପାଦପ ବଲ୍ଲରୀ,

କାନ୍ଦିଲେ ଆପଣେ ଏହି ଗୋଦାବରୀ ।

ଦଣ୍ଡକ କାନନ ବ୍ରହ୍ମାଣ୍ଡବିଖ୍ୟାତ,

ରାମାୟଣ କାଣ୍ଡ କଲା ସୂତ୍ରପାତ ।

 

କୁକ୍ଷଣେ ସେ ବଣେ ପଶି ସୂର୍ପଣଖା

ଛାରଖାର କଲା ସ୍ୱର୍ଣ୍ଣପୁରୀ ଲଙ୍କା ।

ଅଭୀଷ୍ଟ ବୈଫଲ୍ୟେ ହୋଇ ମହାରୁଷ୍ଟା

ଦ୍ୱନ୍ଦ୍ୱ-ତରୁ ବୀଜ ପୋତିଦେଲା ଦୁଷ୍ଟା ।

 

ବାତେ ଧୂଳିରାଶି ପ୍ରାୟ ସ୍ମୃତିପନ୍ତି,

ସତତ ସେ ବନେ ଉଡ଼ି ବୁଲୁଛନ୍ତି ।

ସଂଗ୍ରହି ତା, ତହିଁ ଗଢ଼ିବ କଣ୍ଢେଇ,

ନାହିଁ କି ସେଭଳି ଯୋଗ୍ୟ ହାୟ କେହି !

 

ନିଜ ଘରେ ପୂର୍ଣ୍ଣ ମାଣିକ୍ୟ ରତନ,

ତାହା ପ୍ରତି କାର ନାହିଁ ତିଳେ ଯତ୍ନ ।

ଧିକ ଧିକ ଆମ୍ଭେ ଅଲାଜୁକପଣେ

ବୁଲୁଁ ପର ଘରେ ଭାଗ୍ୟ ଅନ୍ୱେଷଣେ ।

 

ପଞ୍ଚମ ସର୍ଗ

 

ଅନନ୍ତର ଆନ୍ଧ୍ରମଣ୍ଡଳ ବିଶ୍ରୁତ

ସ୍ଥାପିଲେ ଯେ ରାଜ୍ୟ ବିଶ୍ୱାମିତ୍ରସୁତ ।

ସଂସ୍କୃତ ବିଶୁଦ୍ଧ ସ୍ପଷ୍ଟ ଉଚ୍ଚାରଣେ

ସୁଦକ୍ଷ ଏ ଦେଶ ନୈଷ୍ଠିକ ବ୍ରାହ୍ମଣେ ।

 

ମଛଲିପଟଣ ବାଣିଜ୍ୟ-ଅଗାର,

ଦେଶେ ଦେଶେ ଖ୍ୟାତ ଛିଟ ବସ୍ତ୍ର ଯାର ।

ହୀରକ ପ୍ରସୂତି ତରଙ୍ଗିଣୀ କୃଷ୍ଣା ।

ଧାଇଁଛି ସାଗର ପଦେ ରଖି ତୃଷ୍ଣା ।

 

ଯୋଗ୍ୟ ଏହା ତୀର ଗଙ୍ଗେଶ୍ୱର ଜାଣି,

ସ୍ଥାପିଲେ ଅମରାବତୀ ରାଜଧାନୀ ।

ଉତ୍କଳ-ସମ୍ରାଟ ମହିଷୀ ସଦଳେ,

ରଚୁଥିଲେ ଜଳକେଳି ଏହା ଜଳେ ।

ତାଙ୍କ ଅଙ୍ଗରାଗ କୁଙ୍କୁମାଦି ମିଶି,

ବହିଥିଲା ଜଳ ବାସ ଦିବାନିଶି ।

 

ଗମନ୍ତି ଏଠାରୁ ଗଙ୍ଗବଂଶୀ ବୀରେ,

ପାରିଧି ଉଦ୍ଦେଶ୍ୟେ ପୂର୍ବଘାଟ ଶିରେ ।

ଏହା ପୁଣ୍ୟତୀରେ କପିଳେନ୍ଦ୍ର ବୀର,

ତେଜିଲେ ଅନିତ୍ୟ ପାର୍ଥିବ ଶରୀର ।

 

ଶ୍ରୀପୁରୁଷୋତ୍ତମ ଏହି ନଦୀ ଜଳେ

ଅଭିଷିକ୍ତ ହେଲେ ଉତ୍କଳ-ମଣ୍ଡଳେ ।

କୃଷ୍ଣା କୃଷ୍ଣବେଣୀ ଦେଇ ମୁକୁଳାଇ

ନାଚିଲା ଉଲ୍ଲାସେ ଜୟଗୀତି ଗାଇ ।

 

ନାଚିଲା ଅବନୀ ନାଚିଲା ଗଗନ,

ଘୋଷି ନବ ନୃପ ଜୟ ଘନ ଘନ

ଦିଗ୍ଧଧୁଏ ଚାଲି ଆଲଟ-ବିଜୁଳି

ହର୍ଷେ ସମସ୍ୱରେ ଦେଲେ ହୁଳାହୁଳି ।

 

ପ୍ରାଚୀନ ଭାସ୍କର ହେଲେ ଅସ୍ତମିତ,

ନବ ରାଜା ଶଶୀ ହେଲେ ସମୁଦିତ ।

ବିଷାଦ-ତାମସ ଘୋଟିବାକୁ ଭବେ

ନ ପାଇଲା ମାତ୍ର ଅବକାଶ ଲବେ ।

 

ସଦ୍ଗୁଣ-କିରଣେ ନବ ନରମଣି,

କଲେ ସମୁଜ୍ଜ୍ୱଳ ଉତ୍କଳ ଧରଣୀ ।

ସ୍ଥୂଳଚୋଳରାଜ୍ୟ ସୋମଲତାପୂତ

ସିନ୍ଧୁ ଉପକଣ୍ଠେ ରହିଛି ବିସ୍ତୃତ ।

 

ମଧ୍ୟେ ଉପକୂଳ ଶୋହେ ମଲବାର,

ବାରବାନୀ ପୂର୍ଣ୍ଣ ଯା ବିପଣୀବାର ।

ନନ୍ଦନ-ନିନ୍ଦିତ ଯାର ଉପବନ,

ଏକା ଦାରୁଚିନି ମରିଚେ ସୁଦୀନ ।

 

ଏକା ଲୋଭେ ରୁଣ୍ଡ ଦେବବାଳାକୁଳ,

ସେବେ ତାଙ୍କୁ ସିନ୍ଧୁ ସମୀର ମୃଦୁଳ ।

କାଞ୍ଚନସୁଲଭା ବିଦ୍ୟାବତୀ କାଞ୍ଚି,

ଠୁଳ ଯହିଁ ବୁଧେ ଶାସ୍ତ୍ରଚର୍ଚ୍ଚା ପାଞ୍ଚି ।

 

ଏହି ରାଜ୍ୟ ଜିଣି କପିଳେନ୍ଦ୍ର-ସୁତ

ଲଭିଥିଲେ ଯଶ-ବିଭବ ପ୍ରଭୂତ ।

କାଞ୍ଚିରାଜଜେମା ପଦ୍ମାବତୀ ସହ,

ଘେନିଗଲେ ବୀର ଗୋପାଳ-ବିଗ୍ରହ ।

 

ମାନ୍ଦ୍ରାଜ ନଗରୀ ବହୁ ଭାଗ୍ୟବତୀ,

ଦକ୍ଷିଣ ଭାରତେ ଟେକ ଯାର ଛାତି ।

ବସ୍ତ୍ର-ଶିଳ୍ପ ଯାର ଦେବମନୋହର,

ସ୍ୱଦେଶେ ବିଦେଶେ ଲଭେ ସମାଦର ।

 

ଚାରୁ କାରୁକଳା ବାଣିଜ୍ୟ ଗୌରବେ

ଖ୍ୟାତ ଏ ନଗରୀ ଯୁଗେ ଯୁଗେ ଭବେ ।

ଦିଶୁଅଛି ଆହା କେଡ଼େ ନିରୁପମ

ରୁଚିରା କାବେରୀ ସାଗରସଙ୍ଗମ ।

 

ଯା ତୀରେ ତ୍ରିଶିରାପଲ୍ଲୀ ଅଭିରାମ,

ବଧିଲେ ତ୍ରିଶିରା ରକ୍ଷେ ଯହିଁ ରାମ ।

ନଳକୃତ ସେତୁ ସମୁଦ୍ର ବକ୍ଷରେ,

ମାରକତୀ-ମାଳା ପ୍ରାୟ ଶୋଭା ଧରେ ।

 

ଏହି ପଥେ ଯାଇ ଶ୍ରୀରାମ ଲକ୍ଷ୍ମଣ,

ସ୍ୱର୍ଣ୍ଣସୁରୀ ଲଙ୍କା କଲେ ଆକ୍ରମଣ ।

ଶେଷ ମହୋଦଧି, ଏଠାରୁ ତୋ ସୀମା,

ମାତ୍ର ନୁହେଁ ଶେଷ ଅନନ୍ତ ମହିମା ।

 

ଅସୀମ ତୁ, ମାତ୍ର ଆଖ୍ୟା ନିରର୍ଥକ

ଅସୀମ ତୁ ତୋତେ ରଖିଛି ପୃଥକ ।

ଧନ୍ୟ ମହୋଦଧି ମହୀରେ ଦୁର୍ଦ୍ଧର୍ଷ,

ଭବେ ତୋ ଅପତ୍ୟବାତ୍ସଲ୍ୟ ଆଦର୍ଶ ।

 

ଘେନି ସ୍ନେହଶୀଳା ଦୁହିତା ପ୍ରାର୍ଥନା

ଘଟାଇଛୁ କେଡ଼େ ଅଦ୍ଭୁତ ଘଟଣା ।

ବଡ଼ ଦେଉଳକୁ ତୋ ଘୋର ଗର୍ଜନ

ଶୁଭେ ନାହିଁ ତିଳେମାତ୍ର କଦାଚନ ।

 

ନିଶାନାଥ ଲୀଳା ନିତି ଦେଖି ଦେଖି

ପାରୁ ନାହୁଁ ତେବେ ବିଦୃକ୍ଷା ଉପେକ୍ଷି ।

ଅଙ୍କେ ଧରି ମୂର୍ତ୍ତି ଅଙ୍କୁ ଶଶାଙ୍କର,

ଅଙ୍କେ ଯଥା ଅଙ୍କେ ପଦ୍ମମୂର୍ତ୍ତି ସର ।

 

ଉଇଁଲେ ସେ ନଭେ ପ୍ରକାଶି ସୁଭାତି,

ଫୁଲିଉଠେ ହର୍ଷେ ତୋ ବିଶାଳ ଛାତି ।

କେଉଁ ପିତା ପୁତ୍ରେ ଦେଖି କୀର୍ତ୍ତିବନ୍ତ,

ନ ମଣେ ବା ସ୍ୱର୍ଗସୁଖେ କରଗତ ।

 

ଅନବଦ୍ୟ ତୋର ବାଡ଼ବ ବିଳାସ,

ଅଦ୍ଭୁତ ମାଧୁରୀ କରେ ସେ ପ୍ରକାଶ ।

ସ୍ଫୁଲିଙ୍ଗୁ ବାହାରି ଅନନ୍ତ ଅନଳ

ମୁହୂର୍ତ୍ତକେ ବ୍ୟାପେ ତୋହ ବକ୍ଷସ୍ଥଳ ।

 

କ୍ରମେ କ୍ରମେ ପୁଣି ହୋଇ ଅତି କ୍ଷୀଣ

ପରିଶେଷେ ହୁଏ ସ୍ଫୁଲିଙ୍ଗେ ବିଲୀନ ।

ପରମାଣୁ ଅଣୁ ଉଦରୁ ଜନମେ,

ହୁଏ ଲୀନ ଅଣୁ ତା ଗର୍ଭେ ଚରମେ ।

 

ମହୋଦଧି ତୁହି ଅକ୍ଷୟ ଭଣ୍ଡାର,

ରାତ୍ରେ ନଭେ ମିଶି ଧରୁ ଏକାକାର ।

ଏକ ଛାଞ୍ଚୁ ଧାତା ଦ୍ୱିଚିତ୍ର ଉଠାଇ

ପରସ୍ପରେ ଅବା ଦେଖିଲା ମିଳାଇ,

 

କେଉଁଟି ମଧୁର ଗମ୍ଭୀର ଉଦାର,

କିଏ ମର୍ମସ୍ପର୍ଶୀ ଭାବର ଆଧାର,

ଇତର ବିଶେଷ ନ ପାଇ କିଞ୍ଚିତ,

ଦେଇଅଛି କରି ଉଭେ ଏକତ୍ରିତ ।

 

କେତେ ମୂର୍ତ୍ତି ତୁହି ଧରୁ ସିନ୍ଧୁବର,

କେବେ ଅବା ଧରୁ ଦୀନ ବେଶ ଅତି,

ବେଦନା-ବ୍ୟଥିତ କରୁଣ ମୂରତି ।

 

କେବେ ବିଶ୍ୱପ୍ରେମ ଉନମୁକ୍ତ ସ୍ମୃତି

ଧରିଣ ପ୍ରକାଶୁ ଉଦାସ ଆକୃତି ।

କେବେ ସୁଖଦୁଃଖ ନୈରାଶ୍ୟ ଉତ୍ସାହ,

ଭୟର ବହାଉ ପ୍ରବଳ ପ୍ରବାହ ।

 

ଚିରକାଳ ତୁହି ନୀଳବର୍ଣ୍ଣ ଚୌର,

କେବେ ଧରୁ ତନୁ ଗୋରୋଚନା-ଗୌର ।

କେବେ ହେଉ ଶ୍ୱେତଚନ୍ଦନେ ଚର୍ଚ୍ଚିତ,

ରାତ୍ରେ କୌମୁଦୀରେ ହେଉ ତୁ ଅର୍ଚ୍ଚିତ ।

 

କେବେ ରୁଦ୍ର ରୂପ ଦେଖି ଦେହ ଥରେ,

ଲେପୁ ହାସ୍ୟ-ଲେପ କେବେ ବା ଅଧରେ ।

ଦାରୁଣ କରୁଣ ଦୃଶ୍ୟ ଦୁରାଶାର,

ପ୍ରଦର୍ଶନପଟୁ ତୁହି ରତ୍ନାଧାର ।

 

କବି ତୁହି ନିତ୍ୟ ରଚୁ ନବ କାବ୍ୟ,

ଦୃଶ୍ୟକାବ୍ୟ ସହ ପ୍ରଦର୍ଶାଉ ଶ୍ରାବ୍ୟ ।

ସତ୍ସାହିତ୍ୟସେବୀ କବିର କବିତା -

ଅମୃତ, ସେ କବି ଅମର ସବିତା ।

 

ସୁକବି ପ୍ରାୟ ତୋ ଅଜର ବାର୍ଦ୍ଧକ୍ୟ,

ତଥାପି ଜଗତ ଉଲ୍ଲମ୍ଫନେ ଶକ୍ୟ ।

ଦେଶର ଅବସ୍ଥା, ଜାତୀୟ ଚିତ୍ରର,

ସ୍ୱଚ୍ଛ ପ୍ରତିବିମ୍ବ ସାହିତ୍ୟ ନିକର ।

 

ଏଭଳି ହିତୈଷୀ ସାହିତ୍ୟ ପୟରେ

ଅର୍ପେ ଯେ ସ୍ରାଣ ସେ ନମସ୍ୟ ବିଶ୍ୱରେ ।

ମହୋଦଧି, ଲୁବ୍ଧ ହୋଇ ତୋ ଦର୍ଶନେ

ବସିଲି ବେଳାରେ ବାସର ଯୌବନେ ।

 

ସିନ୍ଧୁଚାରୀ ବାତ ବହୁଛି ନିର୍ଘାତେ,

ଚାହିଁଲି ତୋ ରୂପ ମୁଗ୍ଧ ଦୃଷ୍ଟିପାତେ ।

ଉଡ଼ିଛି ବାଲୁକା କୁଜ୍‌ଝଟୀ ସମାନ,

ବାଲୁକା ସ୍ରୋତରେ କରି ତହିଁ ସ୍ନାନ ।

 

ବେଳାଭୂମି ତପ୍ତ ମାତ୍ର ଶାନ୍ତିମୟ,

ଶାନ୍ତିମୟ ଯଥା ସାଧକ-ହୃଦୟ ।

ତୋ ସୁମଷାରାଶି ନିତ୍ୟ ନବ ନବ,

ମଧୁର ଭୀଷଣ ଅଯତ୍ନ-ସମ୍ଭବ ।

 

ସେ ସୁଷମା ସଦା କହି ବୁଲେ କଥା;

ଆଣେ ନାହିଁ ମନେ ବିସ୍ମୃତିର ବ୍ୟଥା ।

ମନୋନେତ୍ର ଦୃଢ଼େ କରେ ଆକର୍ଷଣ,

ଲଗାଇଦିଏ ସେ ନେତ୍ରେ ସୁଧାଞ୍ଜନ ।

 

ସପ୍ତସ୍ତର ବୀତି ବାଇ ମହାଭେରୀ

ବେଳାପଦ ଚୁମ୍ବିଯାଉଥାଏ ଫେରି ।

ବହି ଆଣି ସିନ୍ଧୁ ବଂଶୀ ଚୁଇଁ ଫଳେ

ନିକ୍ଷେପିଲା ନେଇ ବେଳାରେ ବହଳେ ।

 

ଫେନପୁଞ୍ଜ ନଭ ଆଚ୍ଛାଦନ କରି

ବୁଲିଲାକ ଉଡ଼ି ରୁପାଫୁଲ ପରି ।

ଆଶଙ୍କା ଆଘାତ ମାଝିହୃଦେ ବାଜି

ଗଲା ତାର ଖରେ ଧୈର୍ଯ୍ୟ-ବନ୍ଧ ଭାଜି ।

 

ଆଶା-ପକ୍ଷୀ ତାର ସ୍ୱର୍ଣ୍ଣଡେଣା ରୁଦ୍ଧି

ବସିଲା ନିଶ୍ଚଳେ ପରିହରି ବୁଦ୍ଧି ।

ଫେରିଯିବାବେଳେ ତରଙ୍ଗ ଅଧୀରେ,

ଗଡ଼ିଯାଏ ଫେନ ବିଶେଷ ଭଙ୍ଗୀରେ ।

 

ପ୍ରକୃତିଦେବୀ ବା ଲିପିଣ ସେ ସ୍ଥାନେ,

ଲେଖିଅଛି ଝୁଟି ବିବିଧ ବିଧାନେ ।

ପ୍ରିୟଦେବତାଙ୍କୁ କରିଣ ଅର୍ଚ୍ଚନା

ସାର୍ଥକ ହେବ ତା ପ୍ରାଣର ବାସନା ।

 

ମହୋଦଧି, ତୋର ଉଗ୍ର ଉପଦ୍ରବେ

ଭୟେ ଥରହର ହୋଇଣ ମାନବେ,

ଶାନ୍ତି ଅର୍ଥେ କରି ନାନା ଅକିଞ୍ଚନ

ଫଳଫୁଲେ ତାହା କରନ୍ତି ପୂଜନ ।

 

ଗ୍ରହି ତୁହି ତାହା ପରଶ ମାତ୍ରକେ,

ଦେଉ ପୁଣି ଆଣି ଫେରାଇ ପଲକେ ।

ସର୍ବସ୍ୱ ପ୍ରଦାନେ ନାହିଁ ଯାର କ୍ଷୋଭ,

ସେ କିପାଁ କରିବ ପରଦ୍ରବ୍ୟେ ଲୋଭ ।

 

ମହାଜନ ଧାରା ଏହା ଚିରନ୍ତନ,

ସ୍ପର୍ଶ ମାତ୍ର ଖାଲି କରନ୍ତି ଗ୍ରହଣ ।

ନିତ୍ୟ ଦାନ ଯାର ବ୍ରତର ବିଧାନ,

ଗ୍ରହିବ କି ସେହୁ ଅପରର ଦାନ ?

 

କେବଳ ଦାତାର ମନତୁଷ୍ଟି ପାଇଁ

ଛୁଇଁ ଦତ୍ତଦ୍ରବ୍ୟେ ଦିଏ ସେ ଫେରାଇ ।

ମହୋଦଧି, ତୋର ଜଳେ ହତାଦରେ

ଲବଣାକ୍ତ ହେତୁ ନିନ୍ଦନ୍ତି ପାମରେ ।

 

ନାହିଁ କେତେ ଭବେ ଦୂଷିତ ପଲ୍ୱଳ,

କିଏ ଦଳଗନ୍ଧୀ ପଙ୍କିଳ ତା ଜଳ ।

କିଏ କୀଟ-ଦୂଷ୍ଟ ଅସ୍ପୃଶ୍ୟ ସର୍ବଥା,

କାହା ନୀର କଟୂ ହଳାହଳ ଯଥା ।

 

କିଏ ଅବା କହ ବର୍ଜିତ ଦୁର୍ଗୁଣ,

କେଉଁ ଦୋଷ ତୋର ବହି ଖାଦ୍ୟ ଲୁଣ ।

ଏଥିପାଇଁ କିପାଁ ରଟେ ତୋ ଦୂର୍ଚ୍ଛନା,

ତାହା ଭାବି ସିନ୍ଧୁ ନ କର ଶୋଚନା ।

 

ଆରୋପନ୍ତି ଚନ୍ଦ୍ରେ କଳଙ୍କ ସକଳେ,

କେ କାହିଁ ଆକ୍ରୋଶ କରେ ତାରାଦଳେ ?

ହେଉ ପଛେ ପଦ୍ମ ପଙ୍କରୁ ସଂଜାତ,

ମାତ୍ର ନୁହେଁ କି ସୁଗନ୍ଧେ ପ୍ରଖ୍ୟାତ ?

 

ଲବଣ ତୋହର ନୁହେଁ ଅବିଗୁଣ,

ମାନବର ସ୍ୱାସ୍ଥ୍ୟ ରଖେ ସେ ଅକ୍ଷୁର୍ଣ୍ଣ ।

ନ ବୁଝିଣ ଭ୍ରାନ୍ତେ ଜ୍ଞାନବିରହିତ

ହିତକୁ ମଣନ୍ତି ସିନା ବିପରୀତ ।

 

ଆକାଶ ପ୍ରାୟ ତୁ ପୁଣ୍ୟ ପୁରାତମ,

ଦେଖିଛୁ ବିଧ୍ୱର୍କ ଧରଣୀ ଜନମ ।

ତୋହ ଆଗେ ସୃଷ୍ଟ ଅନିଳ ଅନଳ,

ଦେଖିଅଛୁ ସ୍ରଷ୍ଟା ସୃଷ୍ଟିର କୌଶଳ ।

 

କେତେ ତିରୋଧାନ କେତେ ଅଭ୍ୟୁଦୟ

କରିଛୁ ସକଳ ହୃଦୟେ ସଞ୍ଚୟ ।

କୋଟି ଇତିବୃତ୍ତ ପୁରାସ୍ମୃତି ରାଶି

ପ୍ରତି ବୁଦ୍‌ବୁଦରେ ଉଠେ ତୋର ଭାସି ।

 

ଶୋଷି ଜଳରାଶି ତୋହ ଗର୍ଭୁ ଘନ

କରେ ଚରାଚର ପ୍ରକୃତି ପାଳନ ।

ସେହି ଜଳ ପୁଣି ନଦୀ ପଥେ ବହି

ଯଥାକାଳେ ଆସି ତୋ ସଙ୍ଗେ ମିଶଇ ।

ବିଶ୍ୱର ମଙ୍ଗଳ ସାଧନ ଉତ୍ତାରେ

ତୋହ ରତ୍ନ ଫେରି ଆସେ ତୋ ଭଣ୍ଡାରେ

ଯାହା ଯୋଗୁଁ ଟେକ ସ୍ୱର୍ଗର ମହତ୍ତ୍ୱ,

ସେ ସକଳ ସିନା ତୋହ କୃପାଦତ୍ତ l

ଭାଗ୍ୟଧର ତୋହ ହେତୁ ସୁରବର

କରିଅଛୁ ତୁହି ଦେବଙ୍କୁ ଅମର ।

ରୁଷ୍ଟ କରି ତୋତେ କପର୍ଦ୍ଦ-ମୁକୁଟ,

ଭୁଞ୍ଜିଲେ ସେ ଫଳେ ତୀବ୍ର କାଳକୂଟ ।

ପ୍ରକାଶନ୍ତି ତୋହ ପ୍ରସାଦେ ସୁଷମା

ବିଷ୍ଣୁ ବକ୍ଷସ୍ଥଳେ କଭସ୍ତୁଭ, ରମା ।

ମିଶି କେତେ ନଦୀ ତୋ ଦେହରେ ଆସି

ନ ପାରିଲେ ତୋର କଟୁତା ବିନାଶି ।

ସାଧୁଙ୍କର ସିନା ସ୍ୱଭାବ ଏସନ,

ସମସ୍ତଙ୍କ ସହ ବାହ୍ୟରେ ମିଳନ ।

 

ମାତ୍ର କାହାମତେ ସେ ଅନୁପ୍ରାଣିତ

ନ ହୁଅନ୍ତି ଲବେ ଭ୍ରମେ କଦାଚିତ ।

ପ୍ରତ୍ୟୁତ ସକଳେ ଆତ୍ମମତାଧୀନ-

କରିବା ବିଷୟେ ଅଟନ୍ତି ପ୍ରବୀଣ ।

 

କି ବର୍ଣ୍ଣିବି ସିନ୍ଧୁ ତୋ ଗୁଣ ମହାନ,

ବହିଣ ଦୁର୍ବଳ ଜ୍ଞାନ, କ୍ଷୀଣପ୍ରାଣ ।

ମହାମରୁଭୂମି ଅନନ୍ତ ବିସ୍ତୃତ,

ଗଣ୍ଡୂଷ ଜଳେ କି ହେବ ଆର୍ଦ୍ରୀଭୂତ ?

 

ଚନ୍ଦ୍ର ଚୁମ୍ବିଚୂଡ଼ ହିମାଦ୍ରିଶିଖରୀ,

ରଖିପାରିବ କେ ମୁଷ୍ଟିବଦ୍ଧ କରି ?

ଯେବେ କେହି ଜଣେ ସ୍ୱଭାବଭବିନ

ହୁଅନ୍ତା ମର୍ତ୍ତ୍ୟରେ ଆସି ଅବତୀର୍ଣ୍ଣ,

 

ବହି କୋଟି ମୁଖ କୋଟି ବର୍ଷ ଆୟୁ,

ବର୍ଣ୍ଣନ୍ତା କିଛି ସେ ତୋ ଗୁଣ-ଅଧ୍ୟାୟୁ ।

ବାନ୍ଧିଥିଲି ଆଶା ତୋହ ତୀରେ ବସି

‘‘ମହୋଦଧି କାବ୍ୟ’’ ସମାପିବି ହସି ।

 

ଅର୍ଦ୍ଧଲେଖା ପରେ ଦୃଷ୍ଟ ଦୈବ ହାୟ

ଘଟାଇଲା ଆଣି ଘୋର ଅନ୍ତରାୟ ।

ଦାରୁଣ ସଙ୍କଟ ପୀଡ଼ା କାହୁଁ ଆସି

ବସିଲା ମୋହର ମତି ଗତି ଗ୍ରାସି ।

 

ନିରାଶା-ରାକ୍ଷସୀ ଆସି ତହୁଁ ଧାଇଁ

ନେଲା ମୋ ସଦିଚ୍ଛା ସ୍ୱଦେହେ ମିଶାଇ ।

ବିହିଲା ଦୁର୍ଭାଗ୍ୟ ଖରେ ସ୍ଥାନତ୍ୟାଗ,

ଭ୍ରଷ୍ଟ କରି ମୋର ଅନୁଷ୍ଠିତ ଯାଗ ।

 

ମାତୃମହୀ ଅଙ୍କେ ରୋଗଶେଯେ ଶୋଇ

କଲି କାବ୍ୟ ଶେଷ କ୍ଷୂର୍ଣ୍ଣମନା ହୋଇ ।

କଲୁ ତୁ ମୋ କଣ୍ଠେ ଯେଉଁ ଭାଷା ଦାନ,

ଏ କାବ୍ୟ ତାହାର ସିନା ପ୍ରତିଧାନ ।

 

ଦୂରଦେଶୁ ଆସି କେତେ କେତେ ରୋଗୀ

ହେଉଛନ୍ତି ତୋହ ତୀରେ ସ୍ୱାସ୍ଥ୍ୟଭୋଗୀ ।

ମାତ୍ର ଆକ୍ରମଣ କଲା ମୋତେ ପୀଡ଼ା,

ଏ କଥାରେ ଭଲା ତୋର କେଉଁ ବ୍ରୀଡ଼ା !

 

ମଧୁ ସ୍ପର୍ଶେ ସର୍ବତରୁ ପଲ୍ଲବିତ,

କେବଳ କୀଚକ ପତ୍ରବିରହିତ ।

ସେଲାଗି କେ କରେ ମଧୁକୁ ଆକ୍ରୋଶ,

କୀଚକର ତାହା ଦୁର୍ଭାଗ୍ୟର ଦୋଷ ।

 

ତୋ ଜଳ ତୋ ବାୟୁ ମହାପାରାବାର,

ସାଧିଛି ମୋହର ବହୁ ଉପକାର ।

ନିବାସ-ସୌଭାଗ୍ୟ ଲଭି ତୋହ ତୀରେ

ମଣିଛି ନିଜକୁ ଧନ୍ୟ ମୁଁ ମହୀରେ ।

 

ବେଳାଭୂମି ତୋର ସୁଷମାର ଉତ୍ସ,

ତ୍ରିଦିବ ସମ୍ପଦ ତାଠାରେ ନିକୁଚ୍ଛ ।

ପ୍ରତିଦିନ କରି ତୋ କୂଳେ ଭ୍ରମଣ

ପ୍ରତିଥର ତୋତେ ଦେଖିଛି ନୂତନ ।

 

କାମରୂପୀ ତୁହି ଯେସନ ଆକାଶ,

କାମନା ପୟରେ ଚିର-କ୍ରୀତଦାସ ।

ମୁହିଁ ଆଜୀବନ, ତୋହଠାରେ ଋଣୀ,

କୃତଜ୍ଞତା-ପାଶେ ବଦ୍ଧ ନିତ୍ୟ ପୁଣି ।

 

ହରାଇ ତୋ ତୀର-ବିହାର-ସୌଭାଗ୍ୟ

ମଣୁଅଛି ମୁହିଁ ଜୀବନେ ଅଶ୍ଳାଘ୍ୟ ।

ଚିରଦିନ ଯିବ ଏକଭାବେ ବିତି,

ନୁହେଁ ଏହା ଦଗ୍‌ଧ ସଂସାରର ରୀତି ।

 

ବିଧିର ବିଧାନ ହେବ ନାହିଁ ଆନ,

ଏ ସଂସାର ନୁହେଁ ଚିର ସୁଖସ୍ଥାନ ।

ଚିରସୁଖ ଏଥି ଲୋଡ଼େ ଯେଉଁ ମୂର୍ଖ,

ତାହା ଭାଗ୍ୟେ ଏକା ଲେଖା ଚିରଦୁଃଖ ।

 

ଜୁହାରି ବିଦାୟ ହେଲି ବିଧୁବନ୍ଧୁ,

ମାତ୍ର ପୁରୋବର୍ତ୍ତୀ ସୁହୃଦ ସମ୍ୱନ୍ଧୁ ।

ଅନ୍ତର୍ଗତେ ନିତ୍ୟ ତୋହ ଗୁଣ ଭାଳି

କରିବି ତୋ ମୂର୍ତ୍ତି କଳ୍ପନାସଙ୍ଖାଳି ।

 

ନ ଯିବ ପାସୋର ସେ ମଧୁର ଯୋଗ,

ଏକଇ ମୁହୂର୍ତ୍ତେ ତିନି ଋତୁ ଭୋଗ ।

ଘେନ ଶ୍ରଦ୍ଧା ଭକ୍ତି ପୂଣ୍ୟ ପୂଜା ପୁଣି,

ଥାଉ ତୋ କରୁଣା ଏତିକି ମାଗୁଣି ।